କୋପା ଆମେରିକା: ଫାଇନାଲରେ ପେରୁ

ପୋର୍ଟୋ ଆଲେଗ୍ରେ, ୪।୭(ଏଏଫ୍‌ପି)- ଏଠାରେ ଖେଳାଯାଇଥିବା ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଚିଲିକୁ ୦-୩ ଗୋଲରେ ହରାଇ ପେରୁ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଦୀର୍ଘ ୪୪ ବର୍ଷର ବ୍ୟବଧାନ ପରେ ପେରୁ ଏହି ସମ୍ମାନଜନକ ଇଭେଣ୍ଟର ଫାଇନାଲରେ ସ୍ଥାନ ପାଇଛି। ବିଜୟ ଦଳ ଲାଗି ଏଡିସନ ଫ୍ଲୋରେସ, ୟୋଶିମାର ୟତୁନ ଓ ପାଓଲୋ ଗୁଏରୋ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଆରମ୍ଭରୁ ପେରୁ ସକାରାତ୍ମକ ପ୍ରଦର୍ଶନ କରିଥିଲା। ମ୍ୟାଚ୍‌ର ୨୦ ତମ ମିନିଟ୍‌ରେ ଫ୍ଲୋରେସ ଏକ ଗୋଲ ହାତଛଡ଼ା କରିଥିଲେ। ଏହାର ୧ ମିନିଟ୍‌ ପରେ ସେ ଗୋଲ ଦେଇ ଦଳୀୟ ଖାତା ଖୋଲିଥିଲେ। ୩୮ତମ ମିନିଟ୍‌ରେ ୟତୁନ ଦଳର ଅଗ୍ରଣୀ ବ୍ୟବଧାନକୁ ଦ୍ୱିଗୁଣିତ କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ପେରୁ ୨-୦ ଗୋଲର ଅଗ୍ରଣୀ ହାସଲ କରି ନେଇଥିଲା। ଦ୍ୱିତୀୟାର୍ଦ୍ଧର ଅନ୍ତିମ ମିନିଟ୍‌ରେ ଗୁଏରୋ ଦଳ ପାଇଁ ଅନ୍ତିମ ଗୋଲ ଦେଇଥିଲେ।
ରବିବାର ମାରାକାନା ଷ୍ଟାଡିୟମଠାରେ ବ୍ରାଜିଲ ଓ ପେରୁ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ପୂର୍ବରୁ ଦୁଇ ଦଳ ଚଳିତ ଟୁର୍ନାମେଣ୍ଟରେ ପରସ୍ପରକୁ ଭେଟିସାରିଛନ୍ତି। ଉକ୍ତ ମ୍ୟାଚ୍‌ରେ ବ୍ରାଜିଲ ୫-୦ ଗୋଲର ବଡ଼ ବ୍ୟବଧାନରେ ପେରୁକୁ ହରାଇ ଦେଇଥିଲା। ଏହି ପରାଜୟ ପରେ ପେରୁ ଗ୍ରୁପ ପର୍ଯ୍ୟାୟରୁ ଆଗକୁ ବଢ଼ିବାର ଖୁବ କମ୍‌ ସମ୍ଭାବନା ଥିଲା। ହେଲେ ଭାଗ୍ୟ ଓ ୩ ଥର ଭିଏଆର (ଭିଡିଓ ଆସିଷ୍ଟାଣ୍ଟ ରେଫରି) ବଳରେ ଉରୁଗୁଏକୁ କ୍ୱାର୍ଟର ଫାଇନାଲରେ ପେରୁ ହରାଇଥିଲା। ଅନ୍ୟପକ୍ଷରେ ହ୍ୟାଟ୍ରିକ କୋପା ଆମେରିକା ଟାଇଟଲ ହାସଲ କରିବାର ଚିଲିର ଆଶାର ଅନ୍ତ ହୋଇଛି। ଚିଲି ଗତ ଦୁଇ ସଂସ୍କରଣରେ ଆର୍ଜେଣ୍ଟିନାକୁ ହରାଇ ୨୦୧୫ ଓ ୨୦୧୬ କୋପା ଆମେରିକା ଟାଇଟଲ ଜିତିଥିଲା।

Share