କୋପ୍‌ ୨୭କୁ ଗ୍ରେଟାଙ୍କ ବର୍ଜନ

ଷ୍ଟକ୍‌ହୋମ୍‌,୪ା୧୧:କ୍ଷମତାରେ ଥିବା ଲୋକେ ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟର ସମାଧାନକୁ ପ୍ରାଥମିକତା ଦେଉନାହାନ୍ତି। ତେଣୁ ଇଜିପ୍ଟରେ ହେବାକୁ ଥିବା କୋପ୍‌ ୨୭ରେ ଯୋଗଦେବେ ନାହିଁ ବୋଲି ସୁଇଡେନ୍‌ର ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ କହିଛନ୍ତି।
ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ୨୭ତମ ସମ୍ମିଳନୀ ନଭେମ୍ବର ୬ରେ ଆରମ୍ଭ ହେବ। ଇଜିପ୍ଟର ରେଡ୍‌ ସି ରିସର୍ଟ ଟାଉନ୍‌ ଶାର୍ମ ଏଲ୍‌-ଶେଖ୍‌ରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରାୟ ୨୦୦ ଦେଶର ପ୍ରତିନିଧି ଯୋଗଦେବେ। ଏନେଇ ଫ୍ରାଇଡେଜ୍‌ ଫର୍‌ ଫୁଚର ପ୍ରତିଷ୍ଠାତା ୧୯ ବର୍ଷୀୟ ଗ୍ରେଟା କହିଛନ୍ତି, ସେ କ୍ଲାଇମେଟ୍‌ ସମିଟ୍‌ରେ ସାମିଲ ହେବେ ନାହିଁ, ଯେଉଁଠି ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ପ୍ରତିନିଧିମାନେ ବିଶ୍ୱର କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ହ୍ରାସ ପାଇଁ ପଦକ୍ଷେପ ନେବା ନାମରେ ଯୋଗଦେବେ। ଏହା ସେମାନଙ୍କ ପାଇଁ କେବଳ ଦୃଷ୍ଟି ଆକର୍ଷଣର ଏକ ସୁଯୋଗ। କ୍ଷମତାସୀନ ଲୋକେ ବାସ୍ତବରେ ଜଳବାୟୁ ସଙ୍କଟକୁ ଗୁରୁତ୍ୱ ଦେଉନାହାନ୍ତି। ସେମାନଙ୍କ ପ୍ରାଥମିକତା ଅନ୍ୟ କୌଣସି ବିଷୟ ପ୍ରତି ରହିଥିବା ଏଥିରୁ ପ୍ରମାଣିତ ହୋଇଛି ବୋଲି ଗ୍ରେଟା କହିଛନ୍ତି। ଅନ୍ୟପକ୍ଷେ କିଏ ଯୋଗଦେବେ ଓ କିଏ ଅନୁପସ୍ଥିତ ରହିବେ ସେହି ନିଷ୍ପତ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ଅଧିକାର ବୋଲି ଜାତିସଂଘରେ ଆମେରିକାର ଜଳବାୟୁ ପ୍ରତିନିଧି ଜନ୍‌ କେରି କହିଛନ୍ତି।

Share