ନୂଆଦିଲ୍ଲୀ,୧୪।୧୧: କରୋନା ସମୟରେ ଭାରତ ପ୍ରତ୍ୟେକ ଅସହାୟ ଦେଶକୁ ସାହାଯ୍ୟର ହାତ ବଢାଇଥିଲା। ଆମେରିକା ସମେତ ୧୫୦ଦେଶକୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଔଷଧ ପଠାଇଥିଲେ। ବର୍ତ୍ତମାନ ଡୋମିନିକା କରୋନାରେ ସହାୟତା କରି ଥିବାରୁ ମୋଦିଙ୍କୁ ତାଙ୍କ ଦେଶର ସର୍ବୋଚ୍ଚ ଜାତୀୟ ସମ୍ମାନ ଦେବାକୁ ଯାଉଛି।
ଡୋମିନିକା ସରକାର କହିଛନ୍ତି ଯେ କମନୱେଲଥ ଅଫ ଡୋମିନିକା ଚଳିତ ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହାର ସର୍ବୋଚ୍ଚ ଜାତୀୟ ପୁରସ୍କାର ‘ଡୋମିନିକା ଆଓ୍ବାର୍ଡ ଅଫ ଅନର’ ପ୍ରଦାନ କରିବ।
କୋଭିଡ-୧୯ ମହାମାରୀ ସମୟରେ ଡୋମିନିକାରେ ମୋଦିଙ୍କ ଅବଦାନ ଏବଂ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ଦୃଢ କରିବା ଦିଗରେ ଉତ୍ସର୍ଗୀକୃତ ହୋଇଥିବାରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଡୋମିନିକାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ନଭେମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ଗୁଇନାର ଜର୍ଜେଟାଉନରେ ଆୟୋଜିତ ହେବାକୁ ଥିବା ଭାରତ-କାରିକୋମ ସମ୍ମିଳନୀରେ ଡୋମିନିକାର କମନୱେଲଥର ସଭାପତି ସିଲଭାନି ବର୍ଟନ ଏହି ପୁରସ୍କାର ପ୍ରଦାନ କରିବେ।
ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ଫେବୃଆରୀ ୨୦୨୧ରେ, ପ୍ରଧାନମନ୍ତ୍ରୀ ମୋଦି ଡୋମିନିକାକୁ ଆଷ୍ଟ୍ରାଜେନେକା କୋଭିଡ-୧୯ ଟିକା ପ୍ରଦାନ କରିଥିଲେ ଏବଂ ଏହା ଏକ ଉଦାର ଉପହାର ଯାହା ଡୋମିନିକାକୁ ଏହାର କାରିବିଆନ ପଡ଼ୋଶୀମାନଙ୍କୁ ସହାୟତା କରିବାକୁ ସକ୍ଷମ କରିଥିଲା।