କୋଭିଡ୍‌ କିଟ୍‌ ବିବାଦ ପ୍ରସଙ୍ଗ: ସ୍ବାସ୍ଥ୍ୟମନ୍ତ୍ରୀ କହିଲେ କେନ୍ଦ୍ର ନିର୍ଦ୍ଦେଶରେ ବଦଳିଥିଲା ମାସ୍କ ଦାମ୍‌

ଭୁବନେଶ୍ୱର,୭।୬(ବ୍ୟୁରୋ):  ରାଜ୍ୟରେ କରୋନା ମୁକାବିଲା ପାଇଁ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ (ପିପିଇ), ଭେଣ୍ଟିଲେଟର, ମାସ୍କ ଆଦି ବିଭିନ୍ନ କୋଭିଡ୍‌ କିଟ୍‌ କିଣାକୁ ନେଇ ବିବାଦ ଉପୁଜିଥିବାବେଳେ ବିରୋଧୀମାନେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ମଗାଇଥିବା କିଟ୍‌ ନ ରଖିବା ଓ ରାତାରାତି ମାସ୍କ ଦର ବଦଳିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଶନିବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ପ୍ରଥମେ ୧୦ଟଙ୍କାରେ ମାସ୍କ କିଣିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଥିଲା। ହେଲେ ପରବର୍ତ୍ତୀ ସମୟରେ ୧୬ ଟଙ୍କାରେ ମାସ୍କ କିଣିବାକୁ କୁହାଗଲା। ମାର୍ଚ୍ଚ ୨୪ରେ କେନ୍ଦ୍ରର ନିର୍ଦ୍ଦେଶ ଆସିବା ପରେ ମାସ୍କ କିଣା ଯାଇଥିବା ସେ କହିଛନ୍ତି। ରାଜ୍ୟ ସରକାର ମାସ୍କ କିଣାରେ ମହାଘୋଟାଲା କରିଥିବା ବିରୋଧୀଙ୍କ ଅଭିଯୋଗ ଉପରେ ମତ ରଖି ଦାସ କହିଥିଲେ, ସରକାର କେବେ ବି କୌଣସି ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତିନାହିଁ। ତେଣୁ ଏଭଳି ଏକ ସମ୍ବେଦନଶୀଳ ସମୟରେ କରୋନା ଯୋଦ୍ଧାଙ୍କ ମନୋବଳ ନ ଭାଙ୍ଗିବାକୁ ସେ କହିଛନ୍ତି। ରାଜ୍ୟ ସରକାର ଯାହା ବି କରିଛନ୍ତି, ସବୁକ୍ଷେତ୍ରରେ କେନ୍ଦ୍ରର ଗାଇଡ୍‌ଲାଇନକୁ ଅନୁକରଣ କରିଛନ୍ତି। ଡାକ୍ତର, ମେଡିକାଲ ଷ୍ଟାଫ୍‌, ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ଆଜି ଗର୍ବିତ ବୋଲି ମନ୍ତ୍ରୀ କହିଛନ୍ତି।

Share