କୋଭିଡ୍‌ କୋରଡ଼ା

ନୂଆଦିଲ୍ଲୀ,୩୦ା୪: ଭାରତରେ କରୋନା ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ବୁଧବାର ସଂକ୍ରମିତଙ୍କ ସଂଖ୍ୟା ୩୨,୮୯୧କୁ ବୃଦ୍ଧି ପାଇଥିବା ବେଳେ ୧,୦୭୭ ଜଣଙ୍କ ଜୀବନ ଗଲାଣି। ମହାରାଷ୍ଟ୍ର ଓ ଗୁଜରାଟରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଯଦିଓ ୮,୩୮୯ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥହୋଇ ଘରକୁ ଫେରିଛନ୍ତି, ତଥାପି ପ୍ରତିଦିନ ଶହ ଶହ ରୋଗୀ ସୃଷ୍ଟିହେବା ପରିସ୍ଥିତିକୁ ଗମ୍ଭୀର କରିପକାଇଛି।
ମହାରାଷ୍ଟ୍ରରେ ଏବେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୯,୯୧୫ରେ ପହଞ୍ଚିଛି। ଏଠାରେ ମୃତ୍ୟୁସଂଖ୍ୟା ୪୩୨କୁ ବୃଦ୍ଧିପାଇଛି। କେବଳ ବୁଧବାର ଏହି ରାଜ୍ୟରେ ପ୍ରାୟ ୬୦୦ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଏଠାରେ ୩୨ ମୁଣ୍ଡ ଗଡ଼ିଛି। ଗୁଜରାଟ ସ୍ଥିତି ପୂର୍ବାପେକ୍ଷା ଜଟିଳ ସ୍ଥିତିରେ ପହଞ୍ଚିଛି। ଗୋଟିଏ ଦିନରେ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୦ ଉପରେ ରହିଛି। ରାଜ୍ୟରେ ଏବେ ମୋଟ ୪,୦୮୨ ରୋଗୀ ଥିବାବେଳେ ୧୯୭ ଜଣ ପ୍ରାଣ ହରାଇଲେଣି। ରାଜଧାନୀ ଦିଲ୍ଲୀରେ ୩,୩୧୪, ମଧ୍ୟପ୍ରଦେଶରେ ୨,୫୬୦, ରାଜସ୍ଥାନରେ ୨,୩୯୩, ତାମିଲନାଡ଼ୁରେ ୨,୧୬୨, ଉତ୍ତରପ୍ରଦେଶରେ ୨,୧୩୪, ଆନ୍ଧ୍ରପ୍ରଦେଶରେ ୧,୩୩୨, ତେଲଙ୍ଗାନାରେ ୧,୦୧୬ କରୋନା ପଜିଟିଭ ଥିବା ଜଣାପଡ଼ିଛି। ଏହି ପ୍ରାଣଘାତୀ ଭୂତାଣୁ ମୁଣ୍ଡ ପରେ ମୁଣ୍ଡ ଗଡ଼ାଇ ଚାଲିଥିବାରୁ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି। ଅଦ୍ୟାବଧି ମଧ୍ୟପ୍ରଦେଶରେ ୧୩୦, ଦିଲ୍ଲୀରେ ୫୪, ତାମିଲନାଡ଼ୁରେ ୨୭, ରାଜସ୍ଥାନରେ ୫୫, ଉତ୍ତରପ୍ରଦେଶରେ ୩୯, ଆନ୍ଧ୍ରପ୍ରଦେଶରେ ୩୧, ତେଲଙ୍ଗାନାରେ ୨୫, ପଶ୍ଚିମବଙ୍ଗରେ ୨୨ ଲୋକଙ୍କ ପ୍ରାଣହାନି ଘଟିଛି। ବୁଧବାର କେବଳ ୧,୫୩୨ ନୂଆ ମାମଲା ସାମ୍ନାକୁ ଆସିଛି। କରୋନା ରୋଗୀଙ୍କ ଚିକିତ୍ସା ସରକାରଙ୍କ ଲାଗି ମୁଣ୍ଡବ୍ୟଥା ବଢ଼ାଇଦେଇଛି। ଏଭଳି ରୋଗୀସଂଖ୍ୟା ବଢ଼ିଚାଲିଲେ, ଆଗକୁ ପରିସ୍ଥିତି ବିଗିଡ଼ିଯିବାର ଆଶଙ୍କା ରହିଛି। ପ୍ରବାସୀମାନେ ଫେରିବା ପରେ ପୁଣି ସ୍ଥିତି ବିଗିଡ଼ିବା ସମ୍ଭାବନା ରହିଛି। ଏଥିଲାଗି ପ୍ରସ୍ତୁତି ଜୋର୍‌ ଧରିଥିବା ବେଳେ ଦିନକୁ ଦିନ ନୂଆ ରୋଗୀ ବାହାରିବା ଓ ଲୋକମାନେ ସଚେତନ ନ ହେବା ସମସ୍ୟା ସୃଷ୍ଟିକରିଛି। ସାମାଜିକ ଦୂରତ୍ୱ ରକ୍ଷାକରିବା ଛଡ଼ା ଅନ୍ୟ ଉପାୟ ନାହିଁ। କରୋନାର ସଫଳ ଚିକିତ୍ସା ଲାଗି ଅଦ୍ୟାବଧି କୌଣସି ଔଷଧ ବାହାରି ନ ଥିବାବେଳେ ସରକାରଙ୍କ ଚିନ୍ତା ବଢ଼ିଚାଲିଛି।

Share