କୋଭିଡ୍‌ ଚିକିତ୍ସାକୁ ଦୃଢ଼ୀଭୂତ କରିବା ପାଇଁ ମକ୍‌ ଡ୍ରିଲ

ଭୁବନେଶ୍ୱର, ୧୨ା୫(ବ୍ୟୁରୋ): କୋଭିଡ୍‌ ହସ୍ପିଟାଲ ଏବଂ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ବାସ୍ଥ୍ୟସେବାକୁ ଦୃଢ଼ୀଭୂତ କରିବା ସହ ସ୍ବାସ୍ଥ୍ୟକର୍ମୀଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ମକ୍‌ ଡ୍ରିଲ୍‌ ମାଧ୍ୟମରେ ପ୍ରସ୍ତୁତିକୁ ଜୋର୍‌ଦାର କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀର ଗୋପବନ୍ଧୁ ଆୟୁର୍ବେଦିକ୍‌ ମେଡିକାଲ କଲେଜସ୍ଥିତ ଜିଲା କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଆଇଡି ହସ୍ପିଟାଲଠାରେ ୨ଟି ମକ୍‌ ଡ୍ରିଲ୍‌ ଅନୁଷ୍ଠିତ ହୋଇଛି। ଏଥିରେ ସ୍ବାସ୍ଥ୍ୟସେବାରେ ନିୟୋଜିତ ଏକ ସମ୍ପୂର୍ଣ୍ଣ ଦଳ ସହ ସମାଜିକକର୍ମୀମାନେ ଅଂଶଗ୍ରହଣ କରିଥିଲେ। ଏସ୍‌ସିବି ମେଡିକାଲ କଲେଜର ଏକ ବିଶେଷଜ୍ଞ ଦଳ ଏବଂ ଜାତିସଂଘ ପପୁଲେଶନ ଫଣ୍ଡ୍‌, ୟୁନିସେଫ୍‌ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ସହାୟତାରେ ଏହି ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଥିଲା। ଏହି ମକ୍‌ ଡ୍ରିଲ୍‌ରେ କୋଭିଡ୍‌ ମୁକାବିଲାର ବିଭିନ୍ନ ଦିଗ ଅର୍ଥାତ୍‌ ଏକକାଳୀନ ଅଧିକ ସଂଖ୍ୟକ ରୋଗୀ ଆସିଲେ ପରିସ୍ଥିତିର ସାମ୍ନା ଓ ରୋଗୀଙ୍କ ଯାଞ୍ଚ, ପୃଥକବାସ, ଚିକିତ୍ସା ଏବଂ ହସ୍ପିଟାଲକୁ ରୋଗୀଙ୍କୁ ସ୍ଥାନାନ୍ତର ଆଦି ବିଭିନ୍ନ ବିଷୟରେ ମକ୍‌ ଡ୍ରିଲ୍‌ କରାଯାଇଥିଲା। ସ୍ବାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କୁ ସଂକ୍ରମଣ ପ୍ରତିରୋଧ ପାଇଁ ଅଭ୍ୟାସ, ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ)ର ବ୍ୟବହାର, ହସ୍ପିଟାଲ ବର୍ଜ୍ୟବସ୍ତୁର ପରିଚାଳନା ସମ୍ପର୍କରେ ବିଶେଷ ତାଲିମ ଦିଆଯାଇଥିଲା। ପାରାମେଡିକ୍ସ, ଆମ୍ବୁଲାନ୍ସ ଚାଳକ, ରୋଗୀମାନଙ୍କୁ ସେବା ଯୋଗାଉଥିବା ସହାୟକ ଏବଂ ଚିକିତ୍ସା ସେବା ସହ ସମ୍ପୃକ୍ତ ସମସ୍ତଙ୍କ ଭୂମିକା ସମ୍ପର୍କରେ ମକ୍‌ ଡ୍ରିଲ୍‌ କରାଯାଇଥିଲା। ଆଇଡି ହସ୍ପିଟାଲର ୮ଜଣ ଡାକ୍ତର, ମେଡିକାଲ ଅଫିସର, ଆୟୁଷ ଚିକିତ୍ସକ ଏବଂ ପ୍ରାୟ ୧୫ ଜଣ ଷ୍ଟାଫ୍‌ ନର୍ସଙ୍କ ସହ ସହାୟତା କରୁଥିବା କର୍ମଚାରୀ ଏବଂ ଆମ୍ବୁଲାନ୍ସ ଦଳ ମକ୍‌ ଡ୍ରିଲ୍‌ରେ ଭାଗ ନେଇଥିଲେ। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନୀଳକଣ୍ଠ ମିଶ୍ର ଏବଂ ପୁରୀର ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସ ଉପସ୍ଥିତ ଥିଲେ। ଆଗାମୀ ଦିନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଏହିଭଳି ମକ୍‌ ଡ୍ରିଲ୍‌ ନିମନ୍ତେ ଯୋଜନା ରହିଥିବା ସୂଚନା ଦିଆଯାଇଛି।

Share