କୋଭିଡ୍‌ ରୋଗୀଙ୍କ ପାଇଁ ନିଯୁକ୍ତ ଡାକ୍ତରଙ୍କୁ ଭିମ୍‌ସାରର ଅବହେଳା

ସମ୍ବଲପୁର,୧୮ା୪(ବ୍ୟୁରୋ): କୋଭିଡ-୧୯ ମେଡିକାଲରେ ନିୟୋଜିତ ଡାକ୍ତରଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଜିଲା ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ଖାଇବା, ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କୁହାଯାଇଛି । ହେଲେ ଭିମ୍‌ସାରରେ କୋଭିଡ୍‌ ରୋଗୀଙ୍କ ପାଇଁ ନିଯୁକ୍ତ ଡାକ୍ତରଙ୍କ ପାଇଁ କର୍ତ୍ତୃପକ୍ଷ ଏହାକୁ ପାଳନ କରୁନାହାନ୍ତି । ଶନିବାର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏଠାକୁ ଗସ୍ତରେ ଆସିଥିବା ବେଳେ ଜୁନିୟର ଡାକ୍ତର ସଂଘ ଏଭଳି ଅଭିଯୋଗ କରିଛି। ଏହାପରେ ମନ୍ତ୍ରୀ ଦାସ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଛନ୍ତି। କରୋନା ମୁକାବିଲାରେ ନିୟୋଜିତ ଡାକ୍ତରମାନଙ୍କ ଠିକ୍‌ ଭାବେ ଖାଇବା ଓ ରହିବା ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କର୍ତ୍ତପକ୍ଷ ଅଭିଯୋଗ ଫାଙ୍କିବାକୁ ଚେଷ୍ଟା କରିଥିଲେ। ଡାକ୍ତରମାନଙ୍କୁ ଠିକ୍‌ ଭାବେ ଖାଦ୍ୟ ଦିଆଯାଉଥିବା ଏକ ଫଟୋ ମନ୍ତ୍ରୀ ଦାସଙ୍କୁ କର୍ତ୍ତପକ୍ଷ ଦେଖାଇବାକୁ ଉଦ୍ୟମ କରିଥିଲେ। ମନ୍ତ୍ରୀ ଦାସ କିନ୍ତୁ ଏଥିରେ ବିଶ୍ୱାସ ନ କରି ଓଲଟି କର୍ତ୍ତପକ୍ଷଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ।

Share