କୋଭିଡ୍‌ ହସ୍ପିଟାଲ ପାଇଁ ଆସିଲା ୩ ଭେଣ୍ଟିଲେଟର, ୪ ମେଡିକାଲ ଆମ୍ବୁଲାନ୍ସ

ଭୁବନେଶ୍ୱର,୧୯।୪(ବ୍ୟୁରୋ): କରୋନା ସଂକ୍ରମଣଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ ନିର୍ମାଣ କରିଛନ୍ତି। ଏହି ହସ୍ପିଟାଲଗୁଡିକରେ ଶୁକ୍ରବାର ମଧ୍ୟରାତ୍ର ସୁଦ୍ଧା ୧୪୪ଟି ଭେଣ୍ଟିଲେଟର ଏବଂ ୩୭ ମେଡିକାଲ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି। ଦିନକ ମଧ୍ୟରେ ୩ ଭେଣ୍ଟିଲେଟର, ୪ଟି ମେଡିକାଲ ଆମ୍ବୁଲାନ୍ସ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ବିଭାଗର ସରକାରୀ ୱେବସାଇଟ୍‌ରେ ଏହି ସୂଚନା ଦିଆଯାଇଛି। କରୋନା ପଜିଟିଭ ସଂକ୍ରମିତ ହୋଇଥିବା ୭ ଜଣ ବ୍ୟକ୍ତି ବିଭିନ୍ନ କୋଭିଡ ହସ୍ପିଟାଲରେ ଆଇସିୟୁରେ ଅଛନ୍ତି। ତନ୍ମଧ୍ୟରେ ୪ ପୁରୁଷ ଏବଂ ୩ ମହିଳା ସଂକ୍ରମିତ ରହିଛନ୍ତି। କାର୍ଯ୍ୟକ୍ଷମ ସମସ୍ତ କୋଭିଡ ହସ୍ପିଟାଲରେ ହ୍ୟାଣ୍ଡ ଷ୍ଟେରିଲାଇଜର ଅକ୍ସିଜେନ୍‌ ମହଜୁଦ୍‌ ରଖାଯାଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତ ଏବଂ ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଭାବେ ଦୈନିକ ୩ ପର୍ଯ୍ୟାୟରେ ୩୨୩ ଡାକ୍ତର, ୭୬୧ ନର୍ସ, ୨୩୯ ପାରାମେଡିକାଲ ଷ୍ଟାପ କାର୍ଯ୍ୟ କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୪୧୨ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏହି ହସ୍ପିଟାଲରେ ନିୟୋଜିତ ହୋଇଛନ୍ତି।

Share