କୋଭିଡ୍‌-୧୯ରୁ ମୁକ୍ତି ମିଳିବାକୁ ବର୍ଷେ ଲାଗିବ

ବେଙ୍ଗାଲୁରୁ,୧ା୪ (ଆଇଏଏନ୍‌ଏସ୍‌): ମହାମାରୀ କରୋନାରୁ ମୁକ୍ତି ମିଳିବା ପାଇଁ ୬ ମାସରୁ ବର୍ଷେ ଲାଗିଯିବ ବୋଲି ୮୪% ଭାରତୀୟ ମନେକରନ୍ତି। ଏକ ନୂଆ ସର୍ବେକ୍ଷଣରୁ ଏହି ବିଷୟ ଜଣାପଡ଼ିଛି।
କୋଭିଡ୍‌-୧୯ ସମ୍ପର୍କରେ ସଚେତନ ଥିବା ୯୪% ଉତ୍ତରଦାତାଙ୍କ ମଧ୍ୟରୁ ୭୫% ଏହି ରୋଗକୁ ନେଇ ଅତ୍ୟନ୍ତ ଚିନ୍ତିତ। ସେହିପରି ୫୨% ଏହି ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ ବୋଲି ଗବେଷଣା ଓ ବିଶ୍ଳେଷଣ ସଂସ୍ଥା ଭେଲୋସିଟି ଏମ୍‌ଆର୍‌ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁଣେ, ଲକ୍ଷ୍ନୌ, ଅହମଦାବାଦ ଓ ଜୟପୁର ସମେତ ଅନ୍ୟ କେତେକ ସହରର ୨,୧୦୦ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୭୦% ଉତ୍ତରଦାତା ମନେକରନ୍ତି ଯେ, ବୟସ୍କ ଓ ପୂର୍ବରୁ ରୋଗଗ୍ରସ୍ତ ଲୋକ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହେବା ଆଶଙ୍କା ଅଧିକ। ତେବେ ଉପଯୁକ୍ତ ସ୍ବଚ୍ଛତା ଓ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଜରିଆରେ ଏହାର ମୁକାବିଲା କରାଯାଇ ପାରିବ ବୋଲି ୬୩% ଲୋକଙ୍କ ବିଶ୍ୱାସ ରହିଛି। କରେନା ସଂକ୍ରମଣରୁ ମୁକ୍ତି ପାଇଁ ସତର୍କ ହୋଇ ୮୧% ଲୋକ ସେମାନଙ୍କ ହାତ ବାରମ୍ବାର ଧୋଉଛନ୍ତି। ପୂର୍ବରୁ ଏହା ୭୮% ଥିଲା ବୋଲି ଭେଲୋସିଟି ଏମ୍‌ଆର୍‌ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଜସାଲ ଶାହ କହିଛନ୍ତି।

Share