କୋଭିଡ୍‌-୧୯ ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ବ୍ରହ୍ମପୁର ଅଫିସ,୧୦ା୬: ଏମ୍‌କେସିଜି ମେଡିକାଲ କାଜୁଆଲଟି ପରିସରରେ ବୁଧବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ମେଡିକାଲରୁ ଜଣେ କରୋନା ପଜିଟିଭ୍‌ ରୋଗୀଙ୍କୁ ନେଇ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଯାଉଥିବା କୋଭିଡ୍‌-୧୯ ଆମ୍ବୁଲାନ୍ସ ନମ୍ବର ଓ ଆର ୦୭ ଭି – ୧୬୨୩ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ଅନ୍ତର୍ଗତ ନାଚୁଣିର ମଦନମୋହନ ମହାପାତ୍ରଙ୍କ ସ୍ତ୍ରୀ ମଞ୍ଜୁ ମହାପାତ୍ର (୪୫)ବୋଲି ଟ୍ରାଫିକ୍‌ ପୋଲିସ ସୂଚନା ଦେଇଛି। ମହିଳା ଜଣକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କ ସ୍ବାମୀ ଏବଂ ପୁତୁରାଙ୍କ ସହ ଏମ୍‌କେସିଜି ମେଡିକାଲ ଆସିଥିଲେ। ସେ ମେଡିକାଲ କାଜୁଆଲଟି ଭିତରକୁ ଯାଉଥିବା ବେଳେ ଏମ୍‌କେସିଜିରୁ ଜଣେ କରୋନା ରୋଗୀଙ୍କୁ ନେଇ ସିତଳାପଲ୍ଲୀ କୋଭିଡ୍‌ ହସ୍ପିଟାଲକୁ ଆମ୍ବୁଲାନ୍ସଟି ଯିବା ସମୟରେ ପଛରୁ ମହିଳାଙ୍କୁ ଧକ୍କା ଦେଇଥିଲା। ଏପରିକି ମହିଳାଙ୍କ ପେଟ ଉପରେ ଆମ୍ବୁଲାନ୍ସଟି ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଆମ୍ବୁଲାନ୍ସଟି କରୋନା ରୋଗୀଙ୍କୁ ଧରି ସିତଳାପଲ୍ଲୀ ଚାଲିଯାଇଥିବା ବେଳେ ପୋଲିସ ଏନେଇ ୨୧/୨୦ ରେ ଏକ ମାମଲା ରୁଜୁ କରିଥିବା କହିଛି। ଅନ୍ୟପଟେ ଡ୍ରାଇଭର ବିନୋଦଙ୍କୁ ପୋଲିସ ଅଟକ ରଖିଥିବା କହିଛି।

Share