Categories: ଖେଳ

କୋଭିଡ୍‌-୧୯: ଆର୍ଜେଣ୍ଟିନା ଫୁଟବଲ ସେସନ ବାତିଲ

ବ୍ୟୁନସ୍‌ ଆୟର୍ସ,୨୮।୪(ଏଏଫ୍‌ପି): କୋଭିଡ୍‌-୧୯ ଭାଇରସ୍‌ ସାରା ବିଶ୍ୱରେ କ୍ରୀଡ଼ାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏହି ଭାଇରସ୍‌ କାରଣରୁ ଆର୍ଜେଣ୍ଟିନା ଫୁଟବଲ ଆସୋସିଏଶନ (ଏଏଫ୍‌ଏ) ୨୦୧୯-୨୦ ସେସନକୁ ବାତିଲ କରିଛି। କରୋନା ଭାଇରସ ସଂକ୍ରମଣ କାରଣରୁ ମାର୍ଚ୍ଚମାସ ମଧ୍ୟ ଭାଗରେ ଫୁଟବଲର ଏହି ସେସନ ବାଧାପ୍ରାପ୍ତ ହୋଇଥିଲା। ଏବେ ଆମେ ସବୁ ଟୁର୍ନାମେଣ୍ଟଗୁଡିକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଏଏଫ୍‌ଏ ଅଧ୍ୟକ୍ଷ କ୍ଲାଉଡିଓ ଟାପିଆ କହିଛନ୍ତି। ତେବେ ଏହ ସେସନ କିମ୍ବା ଆଗାମୀ ସେସନରୁ କୌଣସି ଦଳକୁ ବାହାର କରାଯିବ ନାହିଁ। ଫଳରେ ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା କଣ୍ଟିନେଣ୍ଟାଲ ଚାମ୍ପିୟନଶିପ୍‌ ପାଇଁ ଦଳଗୁଡିକୁ ନୋମିନେଟ କରାଯାଇ ପାରିବ।

ମାର୍ଚ୍ଚ ପ୍ରାରମ୍ଭରେ ବୋକା ଜୁନିୟର୍ସ ୧-୦ ଗୋଲରେ ଜିମ୍‌ନାସିଆକୁ ହରାଇ ଲିଗ୍‌ ଚାମ୍ପିୟନଶିପ୍‌ ହାସଲ କରିଥିଲା। ୨୪ଟି ଦଳକୁ ନେଇ ଆୟୋଜିତ ହେଉଥିବା କୋପା ସୁପରଲିଗା ମେ’ ମାସ ଶେଷରେ ପ୍ଲେ ଅଫ୍‌ ସହିତ ଶେଷ ହୋଇଥାଏ। ତେବେ ଏଥର ପ୍ରଥମ ରାଉଣ୍ଡ ଖେଳ ପରେ ଏହାକୁ ବାତିଲ କରିବାକୁ ପଡିଛି। ଗତ ମାର୍ଚ୍ଚ ୨୦ ତାରିଖରୁ ଆର୍ଜେଣ୍ଟିନାରେ ଲକ୍‌ଡାଉନ ଜାରି ରହିଛି ଓ ମେ ୧୦ ତାରିଖ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ୍‌ କଟକଣା ଲାଗୁ ରହିବ।

Share