Categories: ଖେଳ

କୋଭିଡ୍‌ ୧୯ : ଗୋଟିଏ ମାସ ପରେ ନିଷ୍ପତ୍ତି ନେବୁ: ଆଇଓଏ

ନୂଆଦିଲ୍ଲୀ, ୨୪।୩(ପି.ଟି.)- କୋଭିଡ-୧୯ ସଂକ୍ରମଣ କାରଣରୁ ଜାପାନର ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ଅଂଶଗ୍ରହଣ ନେଇ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଚିନ୍ତା ପ୍ରକଟ କରିଛି। ବିଶ୍ୱର ପ୍ରଥମ ଦେଶ ଭାବେ କାନାଡା ଓ ପରେ ଅଷ୍ଟ୍ରେଲିଆ ଏହି ଇଭେଣ୍ଟରୁ ଓହରିଯିବା ପରେ ଆଇଓସି ଏ ନେଇ ମତ ରଖିଛି। ଅତିକମ୍‌ରେ ଗୋଟିଏ ମାସ ଅପେକ୍ଷା କରି ପରିସ୍ଥିତି ଅନୁଧ୍ୟାନ କରିବା ପରେ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ ନେଇ ଆଇଓସି ନିଷ୍ପତ୍ତି ନେବ ବୋଲି କହିଛି।
କାନାଡ଼ା ଓହରିଯିବା ପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଉପରେ ଚାପ ବଢିଛି। ବିଶ୍ୱର କେତେକ ଶ୍ରେଷ୍ଠ ଆଥ୍‌ଲେଟ ଓ କ୍ଷମତାଶାଳୀ କ୍ରୀଡ଼ା ସଂଗଠନ ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ପାଇଁ ଚାପ ପ୍ରୟୋଗ କରି ଆସୁଛନ୍ତି। ଅଲିମ୍ପିକ୍ସ ଆଗାମୀ ଜୁଲାଇ ଓ ଅଗଷ୍ଟ ମାସରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଭାରତ ଏ ସଂକ୍ରାନ୍ତରେ ତରବର ଭାବେ କିଛି ନିଷ୍ପତ୍ତି ନେବାକୁ ଚାହୁଁନାହିଁ। ଅନ୍ତିମ ନିଷ୍ପତ୍ତି ନେବା ପୂର୍ବରୁ ଭାରତ ଗୋଟିଏ ମାସ ଅପେକ୍ଷା କରି ପରିସ୍ଥିତି ଅନୁଧ୍ୟାନ କରିବ। ଉଲ୍ଲେଖଥାଉ କି, କୋଭିଡ୍‌-୧୯ ପାଇଁ ବିଶ୍ୱରେ ଏପର୍ଯ୍ୟନ୍ତ ୧୪,୦୦୦ ଲୋକ ପ୍ରାଣ ହରାଇଲେଣି ଓ ୩ ଲକ୍ଷ ଲୋକ ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି।
ଆମ ଆଥଲେଟ ଓ ଅଫିସିଆଲଙ୍କ ସ୍ବାସ୍ଥ୍ୟ ଓ ହିତକୁ ଅଗ୍ରାଧିକାର ଦେଉଛୁ ବୋଲି ଆଇଓଏ ଅଧ୍ୟକ୍ଷ ନରିନ୍ଦର ବାତ୍ରା କହିଛନ୍ତି। ଆଥଲେଟଙ୍କ ହିତକୁ ଓ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟି ରଖି ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେଣୁ ଆମେ ଅତିକମ୍‌ରେ ଗୋଟିଏ ମାସ ଅପେକ୍ଷା କରିବୁ ବୋଲି ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟା କହିଛନ୍ତି। ଆଇଓସି ଓ କ୍ରୀଡ଼ା ମନ୍ତ୍ରଣାଳୟ ସହ ଆଲୋଚନା ଓ ପରାମର୍ଶ କରି ଆମେ ଅନ୍ତିମ ନିଷ୍ପତ୍ତି ନେବୁ। ଅନ୍ୟ ଦେଶଗୁଡିକ ତୁଳନାରେ ଆମ ଦେଶର ପରିସ୍ଥିତି ଅବଶ୍ୟ ସେତେଟା ଖରାପ ନୁହଁ ବୋଲି ସେ କହିଛନ୍ତି।
ତେଣେ ଆଗାମୀ ୪ ସପ୍ତାହ ମଧ୍ୟରେ ଅଲିମ୍ପିକକୁ ସ୍ଥଗିତ କରିବା ଓ ଅନ୍ୟାନ୍ୟ ବିକଳ୍ପ ନେଇ ଆଇଓସି ଏବେ ଚିନ୍ତା କରୁଛି ବୋଲି କହିଛି। ଫଳରେ ଅଲିମ୍ପିକ୍ସ ନେଇ ଅନିଶ୍ଚିତତା ବଢିଛି। କୋଭିଡ-୧୯ କାରଣରୁ ଭାରତ ସମେତ ସବୁଦେଶର ଆଥ୍‌ଲେଟ୍‌ ପ୍ରସ୍ତୁତି ଓ ଟ୍ରେନିଂ ଜାରି ରଖିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାରା ବିଶ୍ୱରେ ଏବେ ଟ୍ରାଭେଲ ରେଷ୍ଟ୍ରିକ୍ସନ ବା ଯାତ୍ରାଜନିତ କଟକଣା ଜାରି କରାଯାଇଥିବାରୁ କେତେକ ଆଥଲେଟ ବିଦେଶରେ ଟ୍ରେନିଂ ଯୋଜନାକୁ ବାତିଲ କରିଛନ୍ତି। ବର୍ତ୍ତମାନ କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟ ଏ ନେଇ କିଛି ଆଲୋଚନା କରିନାହିଁ। ଗତ ସପ୍ତାହରେ ଆଇଓସି ଅଲିମ୍ପିକ୍ସ ଆୟୋଜନ ନେଇ ସକାରାତ୍କମ ମନୋଭାବ ପୋଷଣ କରିଥିଲା ଓ ଆଇଓଏ ଏହାକୁ ସମର୍ଥନ କରିଥିଲା। ଉଲ୍ଲେଖଥାଉ କି, କୋଭିଡ-୧୯ ମାମଲା ଏପର୍ଯ୍ୟନ୍ତ ଭାରତରେ ୪୦୦ ପାର କରିସାରିଲାଣି। ଏଥିରେ ୭ଜଣ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି।

Share