ଲଣ୍ଡନ,୧୪।୫(ଏଏଫ୍ପି): କୋଭିଡ୍-୧୯ ମହାମାରୀ କାରଣରୁ ଆଉ ଏକ ମେଗା ଇଭେଣ୍ଟକୁ ବାତିଲ କରାଯାଇଛି। ବ୍ରିଟେନର ବହୁ ପର୍ଯ୍ୟାୟ ବିଶିଷ୍ଟ ସାଇକ୍ଲିଂ ରେସ୍ ‘ଟୁର୍ ଅଫ୍ ବ୍ରିଟେନ’ କରୋନା ଭାଇରସ ସଂକ୍ରମଣ କାରଣରୁ ବାତିଲ କରାଯାଇଛି। ସାରା ବିଶ୍ୱରେ ଦେଖା ଦେଇଥିବା ସ୍ବାସ୍ଥ୍ୟ ସଙ୍କଟରେ ଏହି ଇଭେଣ୍ଟ ଆୟୋଜନ କରିବା ଅବାସ୍ତବ ମନେହେଉଛି। ତେଣୁ ଏହାକୁ ବାତିଲ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ଫଳରେ ଗତଥରର ଚାମ୍ପିୟନ ନେଦରଲାଣ୍ଡ୍ସର ମାଥ୍ୟୁ ଭାନ ଡେର ପୋଏଲଙ୍କୁ ଟାଇଟଲ ବଜାୟ ରଖିବା ପାଇଁ ୨୦୨୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।
ସେପ୍ଟେମ୍ବର ୬ରେ ପେନ୍ଜାନ୍ସରେ ଏହି ଇଭେଣ୍ଟ ଆରମ୍ଭ ହେବା କାର୍ଯ୍ୟକ୍ରମ ଥିଲା। ଗୋଟିଏ ସପ୍ତାହ ପରେ ଏହା ଆବେରଡିନ୍ରେ ଶେଷ ହୋଇଥାନ୍ତା। କୋଭିଡ୍-୧୯ ଆତଙ୍କ ଜାରି ରହିଥିବା ବେଳେ ଟୁର ଡି ବ୍ରିଟେନ ଭଳି ବଡ଼ ଇଭେଣ୍ଟ ଆୟୋଜନ କରିବା ଏକ ବଡ଼ ରିସ୍କ ବୋଲି ଆୟୋଜକ କହିଛନ୍ତି। ଏହି ଇଭେଣ୍ଟରେ ବହୁ ଲୋକଙ୍କ ସମାଗମ ହୋଇଥାଏ। ଲୋକଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା କରିବାକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଦର୍ଶକଙ୍କ ବିନା ରୁଦ୍ଧଦ୍ୱାରରେ ଏହି ଇଭେଣ୍ଟ ଆୟୋଜନ କରିବା ଯୋଜନା ନିହାତି ଅବାସ୍ତବ। ତେଣୁ ଏହାକୁ ବାତିଲ କରିବା ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି।