କୋଭିଡ୍‌-୧୯ ନିର୍ଦ୍ଦେଶନାମାର ଖିଲାପ: ଭୋଜି କରୁଥିବାବେଳେ ୩ ଯୁବକ ଗିରଫ

ଜଗତ୍‌ସିଂହପୁର ଅଫିସ,୬ା୪: କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣକୁ ନେଇ ଦେଶରେ ଚିନ୍ତା ପ୍ରକଟ କରାଯାଉଥିବାବେଳେ ସାମାଜିକ ଦୂରତା ଓ ଜରୁରୀ ନ ଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅପିଲ୍‌ କରିଛନ୍ତି। ଏଥିସହ କେହି ଏକାଠି ଲଗାଲଗି ହୋଇ ରହିବା ସହ ଭୋଜି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ଜଗତ୍‌ସିଂହପୁର ଜିଲାରେ କିନ୍ତୁ ଏଥିରେ କେତେକ ସ୍ଥାନରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହେଉଛି। ଯାହାର ଜ୍ୱଳନ୍ତ ପ୍ରମାଣ ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ସମଙ୍ଗ (ଜଇନାବାଦ୍‌)ରେ ଦେଖିବାକୁ ମିଳିଛି। ଏହି ଗାଁ ମୁଣ୍ଡ ଏକ କୁକୁଡ଼ା ଫାର୍ମ ନିକଟରେ ରବିବାର ରାତିରେ ୧୨ ଜଣରୁ ଅଧିକ ଯୁବକ ଭୋଜି କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଏହି ଗାଁର ନୟନ ରାଉତରାୟ (୪୧), ଅମୂଲ୍ୟ କୁମାର ଜେନା (୩୫) ଓ ସୁନିଲ ରାଉତରାୟ (୩୬)। ଏସ୍‌ଆଇ ବିଶ୍ୱଜିତ ଗଡ଼ନାୟକଙ୍କ ଅଭିଯୋଗକ୍ରମେ ଜଗତ୍‌ସିଂହପୁର ଥାନାରେ ଦଫା ୧୮୮/୨୬୯/୨୭୦/୨୭୧/୩୪ ଆଇପିସିରେ ମାମଲା ସଂଖ୍ୟା ୧୧୧/୨୦ ରୁଜୁ କରାଯାଇଛି। ଖବର ଲେଖା ହେବା ବେଳକୁ ଅଭିଯୁକ୍ତମାନଙ୍କୁ ନୋଟିସ୍‌ ପରେ ଛାଡି ଦିଆଯାଇଛି। ଏଥିରେ ଗଡ଼ନାୟକ ଉଲ୍ଲେଖ କରିଛନ୍ତି, ତାଙ୍କ ସହ ଅନ୍ୟ କେତେଜଣ ପୋଲିସ କର୍ମଚାରୀ ପଳାଶୋଳ, ଅୟର, ସମଙ୍ଗ ସମେତ ନିକଟବର୍ତ୍ତୀ ଗାଁରେ ସନ୍ଧ୍ୟା ପାଟ୍ରୋଲିଂ କରୁଥିବା ବେଳେ ରାତି ୯ଟା୩୦ରେ ସମଙ୍ଗ (ଜଇନାବାଦ)ରେ ୧୨ରୁ ଅଧିକ ଯୁବକ ଭୋଜି କରୁଥିବା ସୂଚନା ମିଳିଥିଲା। ପରେ ସେମାନେ ସେଠାକୁ ଯିବାରୁ ଅନ୍ଧାର ହୋଇଥିବାରୁ ୯ଜଣରୁ ଅଧିକ ଖସି ଯାଇଥିବା ବେଳେ ଉପରୋକ୍ତ ଅଭିଯୁକ୍ତମାନେ ଧରାପଡି ଯାଇଥିଲେ।

Share