କୋଭିଡ୍‌-୧୯ ପୃଷ୍ଠଭୂମିରେ ଧର୍ମର ସ୍ବରୂପ

ବିନୟ ଭୂଷଣ ପାଣିଗ୍ରାହୀ

ସମାଜରେ ବସବାସ କରୁଥିବା ନାରୀ ଓ ପୁରୁଷମାନଙ୍କ ମଧ୍ୟରୁ ଯେଉଁମାନେ ସାମାଜିକ ନୀତିନିୟମ, ରୀତିନୀତି, ପାରସ୍ପରିକ ବିଶ୍ୱାସ ଓ ସହନଶୀଳତା ଆଦି ପାଳନ ପୂର୍ବକ ସାମଗ୍ରିକ ଭାବେ ସମାଜକୁ ସୁସ୍ଥ ଜୀବନଯାପନ ନିମନ୍ତେ ଉପଯୋଗୀ କରିବାରେ ସହଯୋଗ କରିଥାନ୍ତି ସେଇମାନଙ୍କୁ ସାମାଜିକ ପ୍ରାଣୀ କୁହାଯାଏ। ଯଦି କେବଳ ‘ମଣିଷ ଏକ ସାମାଜିକ ପ୍ରାଣୀ’ ଉକ୍ତିଟିକୁ ଭିତ୍ତିକରି ସମାଜ ଭିତରେ ରହି ସମାଜକୁ ବିପନ୍ନ କରୁଥିବା ସବୁ ମଣିଷଙ୍କୁ ସାମାଜିକ ପ୍ରାଣୀ କୁହାଯିବ ତେବେ ପୋଲିସ ବ୍ୟବସ୍ଥା, ନ୍ୟାୟାଳୟ, ଦଣ୍ଡବିଧି ଆଇନ, ବନ୍ଦୀଶାଳା, ସୁଧାର ଗୃହ ଇତ୍ୟାଦିର ସାମାନ୍ୟତମ ଆବଶ୍ୟକତା ରହିବ ନାହିଁ। ତେଣୁ, ମୁଖ୍ୟ ବିଷୟବସ୍ତୁ ଉପରେ ଆଲୋଚନା କରିବା ଆଗରୁ ଆମେ ନିଶ୍ଚିନ୍ତ ହୋଇଯିବା ଉଚିତ ଯେ ସମାଜରେ ଦୁଇ କିସମର ମଣିଷ ବସବାସ କରନ୍ତି ଯଥା; ସାମାଜିକ ଓ ଅସାମାଜିକ ମଣିଷ।
ନିଜ ଘର-ପରିବାର, ନିଜ ନିକଟତମ ପରିବେଷ୍ଟନୀ, ଅନୁସୃତ ଧର୍ମୀୟ ଭାବନା, ନିଜନିଜର ମାନସିକ ଭିତ୍ତିଭୂମି ଆଦି ଅନେକ ଉତ୍ସରୁ ପ୍ରାପ୍ତ ହେଉଥିବା ସଂସ୍କାର ଏବଂ ସେଇ ସଂସ୍କାରର ସୁପରିଚାଳନା ମଣିଷ ଭିତରେ ସାମାଜିକତାର ଢାଞ୍ଚା ତିଆରି କରିଥାଏ। ସର୍ବଜନାଦୃତ ସାମାଜିକତା ମନୁଷ୍ୟକୁ ସଫଳ ଜୀବନଯାପନ ପାଇଁ ପଥ ପ୍ରଦର୍ଶନ କରିବା ସହିତ ଧୀରେ ଧୀରେ ଏକ ନୈସର୍ଗିକ ବନ୍ଧନରେ ସମାଜକୁ ବାନ୍ଧି ରଖିବାର ସୂତ୍ର ପାଲଟିଯାଏ, ଯାହାକୁ ଆମେ ସଂକ୍ଷେପରେ ‘ଧର୍ମ’ ବୋଲି କହିଥାଉ। ‘ଧର୍ମ’ର ଅନେକ ସଂଜ୍ଞା ଓ ବ୍ୟାଖ୍ୟା ମାନ ରହିଛି, ଯାହା ବର୍ତ୍ତମାନ ଆଲୋଚ୍ୟ ବିଷୟବସ୍ତୁ ପରିପ୍ରେକ୍ଷୀରେ ବିଶ୍ଳେଷଣ କରିବା ଅପରିହାର୍ଯ୍ୟ ନୁହେଁ। ତେବେ, ମୋ ଦ୍ୱାରା ପ୍ରଦତ୍ତ ଉପରୋକ୍ତ ସଂଜ୍ଞାଟିକୁ ଯଥାର୍ଥ ତର୍କ ଦ୍ୱାରା ସମ୍ପୂର୍ଣ୍ଣ ଭୁଲ୍‌ ସାବ୍ୟସ୍ତ କରିବା ସେତେଟା ସହଜ କଥା ବୋଲି ମୁଁ ଭାବୁନାହିଁ। ଏକଥା ମଧ୍ୟ ଆପଣ ମାନଙ୍କୁ ସ୍ବୀକାର କରିବାରେ କୌଣସି ଅସୁବିଧା ନାହିଁ ଯେ ଧର୍ମ ମଣିଷକୁ ଉଚିତ-ଅନୁଚିତ, ଭଲ-ଭେଲ, କରଣୀୟ-ଅକାର୍ଯ୍ୟ, ଗ୍ରହଣୀୟ-ବର୍ଜନୀୟ ଭିତରେ ଥିବା ପାର୍ଥକ୍ୟକୁ ବୁଝିବା ପାଇଁ ସମର୍ଥ କରାଏ ଏବଂ ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ସତତ ଅନୁପ୍ରେରିତ କରାଇଥାଏ। ବୁଭୁକ୍ଷୁକୁ ଖାଦ୍ୟ ପ୍ରଦାନ କରିବା, ରୋଗୀକୁ ସେବା ଶୁଶ୍ରୂଷା ଯୋଗାଇଦେବା, ନିରାଶ୍ରୟକୁ ଆଶ୍ରୟ ପ୍ରଦାନ କରିବା, ଅନ୍ଧର ମାର୍ଗ ଦର୍ଶନ କରେଇବା, ଅଜ୍ଞ ଜନଙ୍କୁ ଜ୍ଞାନ ବିତରଣ, କୁପଥଗାମୀ ଓ ବିପଥଗାମୀମାନଙ୍କୁ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରେଇବା ପାଇଁ ସେମାନଙ୍କର ବୌଦ୍ଧିକ ବିକାଶ ସାଧନ କରିବା ଇତ୍ୟାଦି ସକଳ ସକାରାତ୍ମକ ଭାବନା ପ୍ରଣୋଦିତ କାର୍ଯ୍ୟ ଅନୁସୃତ ଧର୍ମ ଓ ଧର୍ମୀୟ ଭାବନାର ନିଚ୍ଛକ ପ୍ରତିଫଳନ।
ଯେଉଁ ଧର୍ମ ଯେତେ ପୁରାତନ ସେ ଧର୍ମ ସେତେ ପରିପୁଷ୍ଟ, ପରିପକ୍ୱ, ଅନୁଭବୀ ଏବଂ ସେଇ ଅନୁସାରେ ଅଧିକ ପ୍ରଭାବୀ ମଧ୍ୟ ହୋଇଥାଏ; ଏହା ଅନସ୍ବୀକାର୍ଯ୍ୟ ହୋଇଥିଲେ ମଧ୍ୟ ଆମେ ଆଖିବୁଜି କହିପାରିବା ନାହିଁ ଯେ ସଦ୍ୟଜାତ ଏବଂ ଅପରିପକ୍ୱ ଯେତେସାରା ଧର୍ମ ପୃଥିବୀରେ ଅଛନ୍ତି ସେଇସବୁ ଧର୍ମମାନେ ସେମାନଙ୍କର ଅନୁଗାମୀମାନଙ୍କୁ ସାମାଜିକତା ସମ୍ବନ୍ଧରେ ବହୁତ ଭିନ୍ନ ଅବଧାରଣା ପ୍ରଦାନ କରନ୍ତି ବୋଲି। ତେବେ, କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମାବଲମ୍ବନ କରୁଥିବା ଲୋକମାନଙ୍କ ଭିତରୁ ବହୁସଂଖ୍ୟକ ଲୋକ ଯେତେବେଳେ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ସୁସ୍ଥ ସାମାଜିକ ବିଚାରଧାରାର ଖୋଲାଖୋଲି ଉଲ୍ଲଂଘନ କରୁଥିଲାବେଳେ ଯଦି ସେଇ ଧର୍ମର ଅନୁପାଳନ ଓ ପୃଷ୍ଠପୋଷକତା କରୁଥିବା ଅନେକ ଲୋକ ସେଇ ଉଚ୍ଛୃଙ୍ଖଳ ବ୍ୟକ୍ତିବିଶେଷମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କ ସପକ୍ଷବାଦୀ ହୋଇ ସେମାନଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସହଯୋଗ ଓ ସମର୍ଥନ କରନ୍ତି ସେତେବେଳେ ସବୁ ଦୋଷ ସେଇ ବ୍ୟକ୍ତିମାନଙ୍କ ଦ୍ୱାରା କରାଯାଉଥିବା ଅସାମାଜିକ , ଅମାନବୀୟ ଏବଂ ମାନବଧର୍ମ ପରିପନ୍ଥୀ କାର୍ଯ୍ୟ ପାଇଁ ସେମାନଙ୍କର ଧର୍ମ, ଧର୍ମୀୟ ଭାବନା ଓ ଧାର୍ମିକ ଶିକ୍ଷାର କାନ୍ଧ ଉପରେ ଲଦାଯିବା ଅତ୍ୟନ୍ତ ସ୍ବାଭାବିକ କଥା।
ଆଲୋଚନାର ପରିସରକୁ ସଙ୍କୁଚିତ କରି, ସାମ୍ପ୍ରତିକ ସମୟରେ ସାରା ବିଶ୍ୱ ସମେତ ଆମ ଦେଶ ଭାରତବର୍ଷ ବୈଶ୍ବିକ ବିପଦ ମହାମାରୀ କରୋନା ବିପକ୍ଷରେ ‘କର ଅବା ମର’ ଲଢ଼େଇର ପୃଷ୍ଠଭୂମିରେ କେନ୍ଦ୍ରିତ କରି ଏକ ପରୀକ୍ଷଣ କରିବା ନିଶ୍ଚିତ ଭାବରେ ସମୀଚୀନ ହେବା ସହିତ ସମୟୋଚିତ ମଧ୍ୟ ହେବ। କରୋନା ଭୂତାଣୁଜନିତ ମହାମାରୀ କୋଭିଡ୍‌-୧୯ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ତୃତୀୟ ବିଶ୍ୱ ସମ୍ମୁଖରେ ସବୁଠାରୁ ବଡ଼ ସମସ୍ୟା ଭାବରେ ଉଭାହୋଇ ଶତାବ୍ଦୀ ଶତାବ୍ଦୀ ଧରି ମଣିଷ ସଜାଡିଥିବା ପ୍ରତ୍ୟେକ ବ୍ୟବସ୍ଥାକୁ ଅପ୍ରମିତ ଭାବେ କ୍ଷତିଗ୍ରସ୍ତ କରିଚାଲିଥିବା ବେଳେ ଉନ୍ନତ, ଅନୁନ୍ନତ ଓ ପ୍ରଗତିଶୀଳ ପ୍ରତ୍ୟେକ ରାଷ୍ଟ୍ର ତ୍ରାହି ତ୍ରାହି ଡାକୁଛନ୍ତି। ସେତିକି ବେଳେ ପାଖାପାଖି ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଧର୍ମନିରପେକ୍ଷ ଜନମଙ୍ଗଳକାରୀ ରାଷ୍ଟ୍ର ଭାରତ ସରକାର ଜନସାଧାରଣଙ୍କ ଜୀବନକୁ ସୁରକ୍ଷିତ ରଖିବା ସହିତ ଏ ମହାସମରକୁ ଜିତିବା ପାଇଁ ଛାତିରେ ପଥର ଲଦି ନିଜର ବିକାଶଶୀଳ ଅର୍ଥନୀତିକୁ ଗୋଟାପଣ ବାଜିରେ ଲଗାଇ ଦେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
mailto:binayabhusan_s@yahoo.co.in


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri