Categories: ଜାତୀୟ

କୋଭିଡ୍‌-୧୯ ବିଜ୍ଞାପିତ ବିପତ୍ତି ଘୋଷିତ: ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ନୂଆଦିଲ୍ଲୀ,୧୪।୩(ପି.ଟି.): ବିଶ୍ୱର ୧୪୫ ଦେଶରେ ଏବେ କରୋନା ତାଣ୍ଡବ ଦେଖିବାକୁ ମିଳିଛି। ମୃତ୍ୟୁସଂଖ୍ୟା ଶନିବାର ସୁଦ୍ଧା ୫,୪୩୬ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧.୪୫ ଲକ୍ଷରୁ ଊର୍ଦ୍ଧ୍ୱ ବୋଲି ଜଣାପଡ଼ିଛି। ଚାଇନା ପରେ ଇଟାଲୀ ଓ ଇରାନ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। କ୍ରମଶଃ ଭାରତରେ ମଧ୍ୟ କରୋନା କାୟାବିସ୍ତାର କରିବା ଆରମ୍ଭ କଲାଣି। ଅଦ୍ୟାବଧି ଭାରତରେ ୨ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୮୪ରେ ପହଞ୍ଚିଲାଣି। କରୋନା ସଂକ୍ରମଣକୁ ରୋକିବା ଓ ଲୋକଙ୍କୁ ସଚେତନ କରାଇବା ଲାଗି ସରକାର ବହୁବିଧ ପ୍ରୟାସ ଜାରି ରଖିଛନ୍ତି। ଶନିବାର କେନ୍ଦ୍ର ସରକାର କରୋନା ଭାଇରସ୍‌(କୋଭିଡ୍‌-୧୯)କୁ ଏକ ବିଜ୍ଞାପିତ ବିପତ୍ତି ଭାବେ ଘୋଷଣା କରିଛନ୍ତି। ଏଥିସହ ଏହି ରୋଗ ସଂକ୍ରମଣ ଦ୍ୱାରା ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏନେଇ ଚିଠି ଲେଖାଯାଇଛି। ସହାୟତା ଅର୍ଥ ଏସ୍‌ଡିଆର୍‌ଏଫ୍‌ (ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି) ପ୍ରଦାନ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ପ୍ରକାଶଥାଉ କି, ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୋଭିଡ୍‌-୧୯କୁ ମହାମାରୀ ଭାବେ ଘୋଷଣା କରାଯାଇଛି।
କରୋନା ସଂକ୍ରମିତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ନିର୍ଦ୍ଧାରଣ କରିବେ ବୋଲି କେନ୍ଦ୍ର କହିଛି। ସଂକ୍ରମିତଙ୍କ ସାମୟିକ ରହଣି, ଖାଦ୍ୟ, ପୋଷାକ, ମେଡିକାଲ ସେବା, କ୍ୱାରାଣ୍ଟାଇନ୍‌ କ୍ୟାମ୍ପ ଆଦିର ଖର୍ଚ୍ଚ ରାଜ୍ୟଗୁଡ଼ିକ ଏସ୍‌ଡିଆର୍‌ଏଫ୍‌ରୁ ଖର୍ଚ୍ଚ କରିପାରିବେ। କେତେ କ୍ୱାରାଣ୍ଟାଇନ୍‌ କ୍ୟାମ୍ପ ହେବ, ସେ ସମ୍ପର୍କରେ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ସ୍ଥିର କରିବ। ଅତିରିକ୍ତ ଟେଷ୍ଟିଂ ଲାବୋରେଟୋରି ନିର୍ମାଣ, ଥର୍ମାଲ ସ୍କାନର, ଭେଣ୍ଟିଲେଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି କ୍ରୟ ଲାଗି ଏହି ପାଣ୍ଠିରୁ ଖର୍ଚ୍ଚ କରାଯାଇ ପାରିବ। ବାର୍ଷିକ ଖର୍ଚ୍ଚ ଏସ୍‌ଡିଆର୍‌ଏଫ୍‌ର ୨୫%ରୁ ଅଧିକ ନ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଜ୍ଞପ୍ତିରେ ଦର୍ଶାଇଛି।

Share