କୋଭିଡ୍‌-୧୯ ଲଢ଼େଇରେ ସିଟିଟିସି

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ଭାରତର ମହାକାଶ ଅଭିଯାନ ‘ମଙ୍ଗଳାୟନ’ ଏବଂ ‘ଚନ୍ଦ୍ରାୟନ-୨’ ପ୍ରସ୍ତୁତିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରିବାପରେ ଏବେ କୋଭିଡ୍‌-୧୯ ଲଢେଇରେ ଗୁରୁଦାୟିତ୍ୱ ନେଇଛି ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍‌ ଟୁଲ୍‌ ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର(ସିଟିଟିସି)। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରଣାଳୟ ଅଧୀନରେ ଥିବା ଦେଶର ପ୍ରମୁଖ ଏମ୍‌ଏସ୍‌ଏମ୍‌ଇ ଟେକ୍ନୋଲୋଜି ସେଣ୍ଟରଗୁଡ଼ିକ କରୋନା ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଏମାନଙ୍କ ମଧ୍ୟରେ ଆଗରେ ରହିଛି ଭୁବନେଶ୍ୱରସ୍ଥିତ ସିଟିଟିସି। କରୋନା ସଂକ୍ରମଣକୁ ରୋକିବା ସହ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଲାଗି ଏହି ସେଣ୍ଟର ସମସ୍ତ ପ୍ରକାର ଟେକ୍ନିକାଲ ସହାୟତା ଯୋଗାଇଦେଇଛି। ପ୍ରଥମେ କମ୍‌ ଖର୍ଚ୍ଚରେ ପ୍ରସ୍ତୁତ ହୋଇପାରୁଥିବା ‘ଆମ୍ବୁବ୍ୟାଗ୍‌ ଭେଣ୍ଟିଲେଟର’ ଏବଂ ପରେ ‘ଅଟୋମେଟିକ୍‌ ସାନିଟାଇଜର୍‌ ଟନେଲ୍‌’ ତିଆରି କରିବା ପରେ ଏବେ କୋଭିଡ୍‌-୧୯ ଟେଷ୍ଟିଂ ମେଶିନର କେତେକ ଗୁରୁତ୍ୱପୁର୍ଣ୍ଣ ଯନ୍ତ୍ରପାତି ପ୍ରସ୍ତୁତ କରୁଛି। ଏହି ‘ରିୟଲ୍‌ ଟାଇମ୍‌ କ୍ୱାଣ୍ଟିଟେଟିଭ୍‌ ମାଇକ୍ରୋ ପିସିଆର୍‌ ସିଷ୍ଟମ’ ଏକ ଘଣ୍ଟାରୁ ବି କମ୍‌ ସମୟ ମଧ୍ୟରେ ରୋଗୀଙ୍କ ରିପୋର୍ଟ ଦେଇପାରୁଛି। ବିଶାଖାପାଟଣାରେ ଥିବା ଆନ୍ଧ୍ରପ୍ରଦେଶ ମେଡ୍‌ଟେକ୍‌ ଜୋନ୍‌(ଏଏମ୍‌ଟିଜେଡ୍‌) ଦ୍ୱାରା ପ୍ରସ୍ତୁତ ଟେଷ୍ଟିଂ ମେଶିନର ପ୍ରମୁଖ ଯନ୍ତ୍ରାଂଶ ସିଟିଟିସିର ଭୁବନେଶ୍ୱର ଶାଖା ସହ ଜାମସେଦପୁର ଓ କଲିକତା ସେଣ୍ଟର ତିଆରି କରୁଛନ୍ତି।
ସମଗ୍ର ଦେଶରେ ଏବେ ୧୮ଟି ଟେକ୍ନୋଲୋଜି ସେଣ୍ଟର ରହିଥିବା ବେଳେ ଏଗୁଡ଼ିକ ବିଭିନ୍ନ କ୍ଷେତ୍ରକୁ ଅତ୍ୟାଧୁନିକ ଯନ୍ତ୍ରପାତି, ପ୍ରଶିକ୍ଷିତ ମାନବସମ୍ବଳ, ପରାମର୍ଶଭିତ୍ତିକ ସେବା ଆଦି ଯୋଗାଇ ଦେଇଥାନ୍ତି। ଏହାସହ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଆବଶ୍ୟକ ସମସ୍ତ ପ୍ରକାର ଯାନ୍ତ୍ରିକ ଏବଂ ଟେକ୍ନିକାଲ ସହାୟତା ଯୋଗାଇ ଦେଇଥାନ୍ତି। ହେଲେ ବର୍ତ୍ତମାନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୋଭିଡ୍‌-୧୯ ଲଢେଇରେ ଏହି ସେଣ୍ଟରଗୁଡ଼ିକ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେଉଛନ୍ତି। ବିଶେଷକରି ଭୁବନେଶ୍ୱର ସମେତ ଅନ୍ୟ ଦୁଇ ଶାଖା ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ଟେଷ୍ଟିଂ ମେଶିନର ଉପକରଣ ତିଆରି କରୁଥିବାବେଳେ ଏଥିପାଇଁ ଦିନରାତି ସ୍ବତନ୍ତ୍ର ଟିମ୍‌ କାମ କରୁଛନ୍ତି। ଏହାମଧ୍ୟରେ ୧୫୦ରୁ ଊର୍ଦ୍ଧ୍ୱ ମେଶିନ ଉପକରଣ ଏଏମ୍‌ଟିଜେଡ୍‌କୁ ଯୋଗାଇ ଦିଆଯାଇଛି। ପ୍ରତ୍ୟେକ କିଟ୍‌ରେ ୨୦ଟି ହାର୍ଡଓ୍ବେର୍‌ ଉପକରଣ ରହୁଥିବା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

‘ଚନ୍ଦ୍ରାୟନ-୨’ରେ ଥିଲା ଗୁରୁତ୍ୱପୂର୍ଣ୍ଣ ଅବଦାନ

ଚନ୍ଦ୍ରାୟନ ଅଭିଯାନରେ ସିଟିଟିସି ଭୁବନେଶ୍ୱରର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଥିଲା। ‘ଚନ୍ଦ୍ରାୟନ-୨’ ପାଇଁ ଏଠାରେ ବିଭିନ୍ନ କମ୍ପୋନେଣ୍ଟ ତଥା ଉପକରଣ ସହ ଲଞ୍ଚ୍‌ ଭେହିକିଲ୍‌ ପାଇଁ ୨୨ ପ୍ରକାରର ସାମଗ୍ରୀ ତିଆରି କରାଯାଇଥିଲା। କେବଳ ଏତିକି ନୁହେଁ, ଏହି ମହାକାଶ ଯାନର ଫୁଏଲ୍‌ ଭାଲ୍‌ବ ମଧ୍ୟ ତିଆରି କରିଥିଲା ଏହି ସିଟିଟିସି। ଜିଏସ୍‌ଏଲ୍‌ଭି ରକେଟ୍‌ର କ୍ରାୟୋଜେନିକ୍‌ ଇଞ୍ଜିନର ବିଭିନ୍ନ ଅଂଶ ସହ ଇନର୍ସିଆଲ ମୋମେଣ୍ଟମ୍‌ ଏବଂ ନ୍ୟାଭିଗେଶନ ଜାଣିବା ପାଇଁ ୭ଟି ସୋଲାର୍‌ ଆରେ ଡ୍ରାଇଭ୍‌ ଆସେମ୍ଲି(ଏସ୍‌ଏଡିଏ) ମୋଟର ଏଠାରେ ପ୍ରସ୍ତୁତ କରାଯାଇଥିଲା। ତେବେ ମୁନ୍‌ ରୋଭର୍‌ ‘ପ୍ରଜ୍ଞା’ ପାଇଁ ଲିମ୍ବ୍‌ସ ବା ଗୋଡ଼ ତିଆରି କରିବା ସେଣ୍ଟର ପାଇଁ ସବୁଠାରୁ ଅଧିକ ଚ୍ୟାଲେଞ୍ଜିଂ ଥିଲା। ସେହିଭଳି ମଙ୍ଗଳାୟନ ସମୟରେ ବି ଭୁବନେଶ୍ୱର ସିଟିଟିସି ଶାଖା ଗୁରୁ ଦାୟିତ୍ୱ ଗ୍ରହଣ କରିଥିଲା। ସେତେବେଳେ ବି ମହାକାଶ ଯାନର ବହୁ ସାମଗ୍ରୀ ଏଠାରେ ତିଆରି ହୋଇଥିଲା।

Share