କୋଭିଡ୍‌-୧୯ ସତ୍ତ୍ୱେ ଏସିଆନ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ହେବ

କୁଆଲାଲମ୍ପୁର,୧୫।୪ (ଏଏଫ୍‌ପି): କୋଭିଡ୍‌-୧୯ ସଂକ୍ରମଣ ସତ୍ତ୍ୱେ ଏସିଆରେ ସବୁ ଆଗଧାଡିର ଫୁଟବଲ ଟୁର୍ନାମେଣ୍ଟଗୁଡିକ ଆୟୋଜନ ଚାଲୁ ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆବଶ୍ୟକ ପଡିଲେ ଟୁର୍ନାମେଣ୍ଟର ମ୍ୟାଚ୍‌ଗୁଡିକ ରୁଦ୍ଧଦ୍ୱାରରେ ଆୟୋଜନ ହେବାରେ କୌଣସି ଅସୁବିଧା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେଣୁ ଆଗକୁ ଏଏଫ୍‌ସି ଚାମ୍ପିୟନ୍ସ ଲିଗ, ଏଏଫ୍‌ସି କପ୍‌ ଆୟୋଜନ ହେବ ବୋଲି ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ସମ୍ପାଦକ ଓ୍ବଣ୍ଡସୋର ଜନ ବିଶ୍ୱାସର ସହ କହିଛନ୍ତି।
ଏହି ଦୁଇଟି ଟୁର୍ନାମେଣ୍ଟରେ କେନ୍ଦ୍ରୀୟ ଏସିଆ, ମଧ୍ୟପ୍ରାଚ୍ୟ, ଦକ୍ଷିଣ ଏସିଆ ଓ ଏହି ମହାଦେଶର ଅନ୍ୟାନ୍ୟ ଅଞ୍ଚଳର ଦେଶଗୁଡିକ ଅଂଶ ଗ୍ରହଣ କରିଥାନ୍ତି। କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଏହି ଦୁଇଟି ଟୁର୍ନାମେଣ୍ଟ ଜୁନ୍‌ ମାସ ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଚଳିତବର୍ଷ ଏହି ଦୁଇ ଟୁର୍ନାମେଣ୍ଟ ଆୟୋଜନ ହେବ। ଏବେ ବି ଆମ ପାଖରେ ସମୟ ରହିଛି। ଏପ୍ରିଲ ଶେଷ ଆଡକୁ ଟୁର୍ନାମେଣ୍ଟଗୁଡିକର ନୂଆ ତାରିଖ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ତେବେ ବିନା ପ୍ରଶଂସକ ବା ଦର୍ଶକରେ ମ୍ୟାଚ୍‌ ଆୟୋଜନ ହେବା କଥାକୁ ଜନ୍‌ ଅସ୍ବୀକାର କରିନାହାନ୍ତି। କ୍ରୀଡ଼ାର ବୃହତ୍ତର ସ୍ବାର୍ଥ ଓ ବ୍ୟବସାୟିକ ସର୍ତ୍ତଗୁଡିକ ଦୃଷ୍ଟିରେ ରଖି ଏହି ଦୁଇଟି ଟୁର୍ନାମେଣ୍ଟ ଆୟୋଜନ ହେବା ଜରୁରୀ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ମଙ୍ଗଳବାର ଏଏଫ୍‌ସି କରୋନା ଭାଇରସ ସଂକ୍ରମଣ କାରଣରୁ ଟୁର୍ନାମେଣ୍ଟଗୁଡିକୁ ମେ ଓ ଜୁନ୍‌ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା। ଜୁନ୍‌ରେ ଆୟୋଜନ ହେବାକୁ ଥିବା ୨୦୨୨ ପୁରୁଷ ବିଶ୍ୱକପ୍‌ ଓ ୨୦୨୩ ଏସିଆନ କପ୍‌କୁ ମଧ୍ୟ ସ୍ଥଗିତ ରଖାଯାଇଛି। ପୂର୍ବରୁ ଏହି ମହାମାରୀ କାରଣରୁ ୟୁରୋ ୨୦୨୦କୁ ମଧ୍ୟ ସ୍ଥଗିତ ରଖାଯାଇଛି।

Share