କୋଭିଡ୍‌-୧୯ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର,୩୦।୩(ବ୍ୟୁରୋ)- କରୋନା ମୁକାବିଲା ପାଇଁ ରାଜ୍ୟରେ ଜରୁରିକାଳୀନ ଭିତ୍ତିରେ କୋଭିଡ୍‌-୧୯ ହସ୍ପିଟାଲ ନିର୍ମାଣ ଚାଲିଛି। ରାଜ୍ୟ ସରକାରଙ୍କ ଏଭଳି ଏକ ବଳିଷ୍ଠ ପଦକ୍ଷେପକୁ ସାରା ଦେଶ ସ୍ବାଗତ କରୁଛି। ଏହି ହସ୍ପିଟାଲଗୁଡ଼ିକର କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ବିଭିନ୍ନ ବେସରକାରୀ ସଂସ୍ଥାଙ୍କ ସହ ରାଜ୍ୟ ସରକାର ଚୁକ୍ତି କରିଛନ୍ତି। ସେଠାରେ କୋଭିଡ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା, ଖାଇବା ରହିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଟଙ୍କା ପଇସା ପାଇଁ ଚିନ୍ତିତ ହୁଅନ୍ତୁ ନାହିଁ। ଦୃଢ଼ ମନୋବଳ ସହ କରୋନା ମୁକାବିଲା କରନ୍ତୁ। ସରକାର ସମସ୍ତ ସେବା ଆକ୍ରାନ୍ତଙ୍କୁ ବିନା ଶୁଳ୍କରେ ଯୋଗାଇ ଦେବେ ବୋଲି ସୋମବାର କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟ ସରକାର କିମ୍ସ ଓ ସମ୍‌ ହସ୍ପିଟାଲରେ କୋଭିଡ୍‌-୧୯ ହସ୍ପିଟାଲ ନିର୍ମାଣ କରୁଛନ୍ତି। କିମ୍ସରେ ୪୫୦ ଓ ସମ୍‌ରେ ୫୦୦ ଶଯ୍ୟାର ବ୍ୟବସ୍ଥା ହେଉଛି। ଏଥି ସହିତ କଟକ ଅଶ୍ୱିନୀ ହସ୍ପିଟାଲରେ ମଧ୍ୟ ଏହି ହସ୍ପିଟାଲ ନିର୍ମାଣ ପାଇଁ ଯୋଜନା ଚାଲିଛି। ରବିବାର ସରକାରଙ୍କ ପକ୍ଷରୁ ଏକ ଟିମ୍‌ ଅଶ୍ୱିନୀ ହସ୍ପିଟାଲ ଯାଇ ତଦାରଖ କରିଛି।

Share