Categories: ଜାତୀୟ

କୋଭିଡ ଜାତୀୟ ମାର୍ଗଦର୍ଶିକା: ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକଙ୍କୁ ବାରଣ, ସର୍ବସାଧାରଣ ସ୍ଥାନରେ ମଦ-ପାନ-ଗୁଟଖା ସେବନ ମନା

ନୂଆଦିଲ୍ଲୀ,୩୦।୫: ଲକ୍‌ଡାଉନ୍‌ କୋହଳ ସହ କରୋନା ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର। ତଦନୁଯାୟୀ, ସର୍ବସାଧାରଣ ସ୍ଥାନ, କାର୍ଯ୍ୟସ୍ଥଳରେ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି। ସେହିଭଳି ଗାଡ଼ିରେ ଯିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସର୍ବସାଧାରଣସ୍ଥାନରେ ସର୍ବନିମ୍ନ ୬ ଫୁଟ ସାମାଜିକ ଦୂରତ୍ୱ ଜରୁରୀ। ଦୋକାନରେ ସାମାଜିକ ଦୂରତ୍ୱ ପାଇଁ ଦୋକାନୀମାନେ ବ୍ୟବସ୍ଥା କରିବେ। ଏକ ସମୟରେ ୫ରୁ ଅଧିକ ଲୋକ ଦୋକାନକୁ ଯାଇପାରିବେ ନାହିଁ। ଏକାଠି ଅଧିକ ଲୋକ ସମବେତ ହେବାକୁ କଡ଼ା ବାରଣ କରାଯାଇଛି। ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକ ଏକାଠି ହେବା ମନା। ସେହିଭଳି ଦାହ ସଂସ୍କାର କାର୍ଯ୍ୟରେ ୨୦ରୁ ଅଧିକ ଲୋକ ଏକାଠି ହେବେନାହିଁ। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଦେବାକୁ ପଡ଼ିବ। ଏପରିକି ସର୍ବସାଧାରଣ ସ୍ଥାନରେ ମଦ, ପାନ,ଗୁଟଖା ସେବନକୁ ବାରଣ ମଧ୍ୟ କରାଯାଇଛି। ଯେତେଦୂର ସମ୍ଭବ ଘରେ ରହି କାମ କରିବାକୁ ଚେଷ୍ଟା କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Share