କୋଭିଡ ତଦାରଖ କାର୍ଯ୍ୟରେ ନିୟୋଜିତ ହେଲେ ୬୨ ଶିକ୍ଷକ

ଜି. ଉଦୟଗିରି, ୧୫।୪(ଡି.ଏନ୍‌.ଏ.): ଜି.ଉଦୟଗିରି ବ୍ଲକରେ କୋଭିଡ୍‌ ନିୟନ୍ତ୍ରଣ ତଦାରଖ କାର୍ଯ୍ୟରେ ୬୨ ଜଣ ଶିକ୍ଷକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ନିୟୋଜିତ କରାଯାଇଛି ବୋଲି ଜି.ଉଦୟଗିରି ବିଡିଓ ଶାନ୍ତନୁ କୁମାର ନାୟକ କହିଛନ୍ତି। ୪୨ ଜଣ ଶିକ୍ଷକଙ୍କୁ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ଭତ୍ତା ବାଣ୍ଟିବା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ୨୦ ଜଣ ଶିକ୍ଷକଙ୍କୁ ହୋମ୍‌ ଆଇସୋଲେଶନ ଥିବା ଲୋକଙ୍କ ନିୟମିତ ତଥ୍ୟ ସଂଗ୍ରହ ଓ ଯାଞ୍ଚ କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେପରି ବାହାର ଜିଲାରୁ ଚାଲିଚାଲି ଆସୁଥିବା ଜିଲା ବାହାରର ୧୮ ଜଣ ଦାଦନ ଶ୍ରମିକଙ୍କୁ ଗୋଟିଏ ଦିନ ପୃଥିକରଣ କେନ୍ଦ୍ରରେ ରଖାଯାଇ ତା ପରଦିନ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପୋଲିସ ଏସ୍‌ଡିପିଓ ଜୟକୃଷ୍ଣ ବେହେରା ଓ ବିଡିଓ ଶାନ୍ତନୁ କୁମାର ନାୟକଙ୍କ ଉଦ୍ୟମରେ ଦୁଇଟି ଗାଡି ମାଧ୍ୟମରେ ଛଡ଼ା ଯାଇଛି ବୋଲି ବିଡିଓ କହିଛନ୍ତି। ଏସବୁ ଭିତରେ ଚୋରା ମଦ କାରବାର ମଧ୍ୟ ବୃଦ୍ଧି ପାଇଛି। ମଙ୍ଗଳବାର ଦିନ ଜି.ଉଦୟଗିରି ପୋଲିସ ଆଇଆଇସି ଧରେଜ କୁମାର ଲେଙ୍କା ଓ ପୋଲିସ ଏସ୍‌ଆଇ କୌଶଲ୍ୟା ବେହେରା ବେଆଇନ ଦେଶୀ ଭାଟି ଉପରେ ଚଢ଼ାଉ କରି ଭାଟି ଗୁଡିକ ଭାଙ୍ଗି ଦେଇଥିଲେ।

Share