Categories: ଜାତୀୟ

କୋଭିଡ-୧୯ରୁ ରକ୍ଷା ପାଇବାକୁ ଚାଇନା ଦେବ ପରାମର୍ଶ: ଭାଗନେବ ଭାରତ

ନୂଆଦିଲ୍ଲୀ,୨୦।୩: କରେନା ଭାଇରସ ବା କୋଭିଡ-୧୯ ଏବେ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ଭୂତାଣୁର ସଠିକ୍‌ ଚିକିତ୍ସା ପଦ୍ଧତି ନ ଥିବାରୁ ଏବେ ଏହା ସାରା ବିଶ୍ୱକୁ ତା’ କବଳକୁ ନେଇ ସାରିଛି। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଇଟାଲି ଓ ଇରାନରେ କାୟା ବିସ୍ତାର କରିଥିବା ବେଳେ ବିଶ୍ୱବ୍ୟାପୀ ୮ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇ ସାରିଲାଣି। ଗତ ଦୁଇଦିନ ହେବ ଇଟାଲିରେ ଦିନକୁ ଶହ ଶହ ଲୋକ କରୋନା ଭାଇରସରେ ସଂକ୍ରମିତ ହେଉଥିବା ବେଳେ ଚାଇନାରେ କିନ୍ତୁ କେହି ଜଣେ ହେଲେ କରୋନାରେ ସଂକ୍ରମିତ ହୋଇ ନ ଥିବା କୁହାଯାଉଛି। ତେଣୁ ଚାଇନା କିପରି କରୋନାକୁ କାବୁ କରିପାରିଲା ତାହା ଏବେ ସମସ୍ତଙ୍କ ପ୍ରଶ୍ନ। ଭାରତରେ ଥିବା ଚାଇନାର ରାଷ୍ଟ୍ରଦୂତ ସନ୍‌ ଓ୍ବିଙ୍ଗଡଙ୍ଗ ଶୁକ୍ରବାର କହିଛନ୍ତି, ଚାଇନା ୟୁରେସିଆ ଓ ସାଉଥ୍‌ଏସିଆର ପ୍ରାୟ ୧୦ ଦେଶକୁ ନେଇ ଶୁକ୍ରବାର ଏକ ଭିଡ଼ିଓ କନ୍‌ଫରେନ୍ସର ଆୟୋଜନ କରିଛି। ଯେଉଁଥିରେ କରୋନାର ପ୍ରତିକାର ଓ କୋଭିଡ-୧୯କୁ କିପରି କାବୁ କରାଯିବ ତା’ଉପରେ ଆଲୋଚନା କରାଯିବ। ଏଥିରୁ ରକ୍ଷା ପାଇବାକୁ ଚାଇନା ତା’ର ପଡୋଶୀଙ୍କ ଦୁର୍ଦ୍ଦିନରେ ସାହାଯ୍ୟ କରିବ ବୋଲି ସନ୍‌ ଓ୍ବିଙ୍ଗଡଙ୍ଗ କହିଛନ୍ତି। ଭାରତର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ଭିଡ଼ିଓ କନଫରେନ୍ସରେ ଯୋଗଦେବେ ବୋଲି ଜଣାପଡିଛି।

Share