Categories: ଖେଳ

କୋଭିଡ- ୧୯: ଆଉ ୫ ଟୁର୍ନାମେଣ୍ଟକୁ ବାତିଲ କାଲା ବିଡବ୍ଲ୍ୟୁଏଫ୍‌

ନୂଆଦିଲ୍ଲୀ,୨୧।୩ (ପି.ଟି.)-କୋଭିଡ- ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟଏଫ୍‌) ଆଉ ୫ଟି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ୩ଟି ଅନ୍ତଃ ମହାଦେଶୀୟ ଟୁର୍ନାମେଣ୍ଟ ସାମିଲ ରହିଛି। ଏହି ଟୁର୍ନାମେଣ୍ଟଗୁଡିକ ମଧ୍ୟ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଗୁରୁତ୍ୱ ବହନ କରୁଛି। ଏହାପୂର୍ବରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ସବୁ ଟୁର୍ନାମେଣ୍ଟକୁ ସ୍ଥଗିତ ରଖିଥିଲା। ତେବେ ଗୋଟିଏ ସପ୍ତାହ ପରେ ଆଉ ୫ ଟୁର୍ନାମେଣ୍ଟକୁ ବାତିଲ କରାଯାଇଥିବା ବିଡବ୍ଲ୍ୟୁଏଫ୍‌ ତରଫରୁ କୁହାଯାଇଛି।
ବାତିଲ ହୋଇଥିବା ଟୁର୍ନାମେଣ୍ଟଗୁଡିକ ହେଲା କ୍ରୋଏସିଆନ ଇଣ୍ଡରନ୍ୟାଶନାଲ (ଏପ୍ରିଲ ୧୬- ୧୯), ପେରୁ ଇଣ୍ଟରନ୍ୟାଶନାଲ ୨୦୨୦ (ଏପ୍ରିଲ ୧୬-୧୯), ୟୁରୋପିଆନ ଚାମ୍ପିୟନଶିପ୍‌ (ଏପ୍ରିଲ ୨୧-୨୬), ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନଶିପ (ଏପ୍ରିଲ ୨୧- ୨୬) ଓ ପାନ ଆମ୍‌ ଇଣ୍ଡିଭିଜୁଆଲ ଚାମ୍ପିୟନଶିପ୍‌ ୨୦୨୦ (ଏପ୍ରିଲ ୨୩-୨୬)।
କରୋନା ଭାଇରସ ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା ବେଳେ କଣ୍ଟିନେଣ୍ଟାଲ କନ୍‌ଫେଡେରେଶନ ଓ ଆୟୋଜକ ଆସୋସିଏଶନ ସହ ପରାମର୍ଶ କରି ଟୁର୍ନାମେଣ୍ଟଗୁଡିକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିଡବ୍ଲ୍ୟୁଏଫ୍‌ ତରଫରୁ କୁହାଯାଇଛି। ୟୁରୋପିଆନ ଚାମ୍ପିୟନଶିପ୍‌ ୟୁକ୍ରେନରେ ଓ ଏସିଆ ଇଭେଣ୍ଟ ଫିଲିପାଇନ୍ସରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ଏସିଆନ ଚାମ୍ପିୟନଶିପ୍‌ରେ ଭାରତର ପି.ଭି. ସିନ୍ଧୁ, ସାଇନା ନେହ୍ବାଲ, ବି. ସାଇ ପ୍ରଣୀଥ ଓ କିଡାମ୍ବି ଶ୍ରୀକାନ୍ତ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା। ଏହି ୫ ଟୁର୍ନାମେଣ୍ଟ ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାଇହଂ ପିରିୟଡ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ବର୍ତ୍ତମାନ ଏହି ଟୁର୍ନାମେଣ୍ଟଗୁଡିକ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ଦୃଷ୍ଟିକୋଣରୁ ଏବେ କୌଣସି ଗୁରୁତ୍ୱ ବହନ କରୁନାହିଁ। ଅଲିମ୍ପିକ୍‌ କ୍ୱାଲିଫିକେଶନ ସଂକ୍ରାନ୍ତରେ ବିଡବ୍ଲ୍ୟୁଏଫ୍‌ ପରେ କୌଣସି ଘୋଷଣା କରିବ ବୋଲି ଆଶା କରାଯାଉଛି।

Share