Advertisement

‘କୋଭିଡ-୧୯’ ଚାଇନାର ଅତ୍ୟଧିକ ଖରାପ ଉପହାର: ଟ୍ରମ୍ପ

ଓ୍ବାଶିଂଟନ,୬।୬: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ବା କୋଭିଡ-୧୯ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଛି। ଏହା ଚାଇନାରେ ଯେତିକି ସଂକ୍ରମିତ ହୋଇ ନ ଥିଲା ଏବେ ଏହା ଆମେରିକାରେ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଆମେରିକାରେ ଏବେ କରୋନା ସଂକ୍ରମଣରେ ଦିନକୁ ଶହ ଶହ ଲୋକଙ୍କ ଜୀବନ ଯିବା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଆମେରିକାରେ କାହିଁକି କୋଭିଡ-୧୯ ଏତେ ପରିମାଣରେ ବ୍ୟାପୁଛି ବୋଲି ପ୍ରଶ୍ନର ଉତ୍ତର ଦେଇ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କୋଭିଡ-୧୯ ହେଉଛି ବିଶ୍ୱକୁ ଚାଇନାର ଏକ ଉପହାର ଯାହା ଆଦୌ ଭଲ ନୁହେଁ। ଏହା ଚାଇନା ପକ୍ଷରୁ ଦିଆଯାଇଥିବା ଅତ୍ୟଧିକ ଖରାପ ଉପହାର ବୋଲି ଟ୍ରମ୍ପ କହିଛନ୍ତି। ଚାଇନା ଆମେରିକାଠାରୁ ବହୁ ସୁବିଧା ପାଇଛି, ଆମେରିକା ବର୍ଷକରେ ୫୦୦ ବିଲିୟନ ଡଲାର ସହାୟତା ଦେଇଛି ଚାଇନାକୁ। ହେଲେ ଏବେ ସବୁ ପରିବର୍ତ୍ତନ ହୋଇ ଯାଇଛି ବୋଲି ଟ୍ରମ୍ପ ମତ ପ୍ରକାଶ କରିଛନ୍ତି। ତାଙ୍କ ମତରେ ଚାଇନାର ଉହାନ ସହରରେ କରୋନା ସଂକମ୍ରଣ ସର୍ବାଧିକ ଥିଲେ ମଧ୍ୟ ଏହାର ଆଖପାଖ ଅଞ୍ଚଳରେ କରୋନାର ଗନ୍ଧ ମଧ୍ୟ ନ ଥିଲା କହିଲେ ଚଳେ। ହେଲେ ଏବେ ଏହା ସାରା ବିଶ୍ୱକୁ ବ୍ୟାପି ସାରିଲାଣି। ଚାଇନାର ଏହି ମାନସିକତାକୁ ଟ୍ରମ୍ପ ନିନ୍ଦା କରିବା ସହ ମେ’ ୩୦ରୁ ଟ୍ରମ୍ପ ସରକାର ଚାଇନାର ଶିକ୍ଷାର୍ଥୀ ଓ ଗବେଷକଙ୍କୁ ଆମେରିକା ପ୍ରବେଶକୁ ବାରଣ କରିଛି। ଏମାନେ ଆମରିକାର ବୁଦ୍ଧିଜୀବିଙ୍କ ସମ୍ପତ୍ତି ବା ବୁଦ୍ଧି ଚୋରୀ କରୁଛନ୍ତି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share