କୋଭିଡ-୧୯ ପଜିଟିଭ୍‌ଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ଦିଆଯାଉଛି ଟ୍ରେନିଂ, ଚିକିତ୍ସା କରିବା ପୂର୍ବରୁ କରାଯାଉଛି ମକ୍‌ଡ୍ରିଲ୍‌

ଭୁବନେଶ୍ୱର,୧୬।୪(ବ୍ୟୁରୋ): କରୋନା ସଂକ୍ରମଣ ଜନିତ ରୋଗ। ଏଣୁ ଏଥିରେ ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତଥା ଅନ୍ୟ ସ୍ବାସ୍ଥ୍ୟକର୍ମଚାରୀଙ୍କ ପ୍ରତି ବିପଦ ରହିଛି। କାରଣ ସେମାନେ ମଧ୍ୟ ଏଥିରେ ସଂକ୍ରମିତ ହୋଇପାରନ୍ତି। ଏଣୁ ରାଜ୍ୟରେ ଚିହ୍ନଟ ହୋଇଥିବା ପଜିଟିଭ୍‌ମାନଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ସରକାର କି ବ୍ୟବସ୍ଥା କରିଛନ୍ତି ବୋଲି ପ୍ରଶ୍ନର ଉତ୍ତର ରଖିଛନ୍ତି ଉନ୍ନୟନ କମିଶନର ତଥା ଅତିରକ୍ତ ଶାସନ ସଚିବ ସୁରେଶ ମହାପାତ୍ର।

ସେ କହିଛନ୍ତି, କୋଭିଡ ହସ୍ପିଟାଲରେ ନିୟୋଜିତ ହେଉଥିବା ସମସ୍ତ କର୍ମଚାରୀଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଉଛି। ଦରକାର ମୁତାବକ ସ୍ବାସ୍ଥ୍ୟ ଉପକରଣ ଯୋଗାଇ ଦିଆଯାଇଛି। ଏପରିକି ରୋଗୀ ସେବା ନିମନ୍ତେ ମକ୍‌ ଡ୍ରିଲ କରାଯାଉଛି। ବିଶେଷକରି ସେମାନେ ରହିବା ପାଇଁ ସବୁ ସ୍ଥାନରେ ହୋଟେଲର ବ୍ୟବସ୍ଥା କରାଯାଉଛି। ଚିକିତ୍ସା କରିବାର ୧୪ ଦିନ ପରେ ସେମାନେ ପୁଣି ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ସେଥିପାଇଁ ମଧ୍ୟ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସେମାନଙ୍କର ଖାଇବା ପିଇବାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସମସ୍ୟା ଉପରେ ନଜର ରଖାଯାଉଥିବା ସେ ମଧ୍ୟ କହିଛନ୍ତି।

Share