Categories: ମେଟ୍ରୋ

କୋଭିଡ-୧୯ ମାଡ଼: ପାଳନ ହେବନି ଉତ୍କଳ ଦିବସ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): କରୋନା ଭୂତାଣୁ (କୋଭିଡ୍‌-୧୯)ର ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ର ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। କୌଣସି ସଭା ସମିତି, ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ତଥା ଏପ୍ରିଲ ୧ତାରିଖରେ ପାଳନ ହେଉଥିବା ଉତ୍କଳ ଦିବସକୁ ବନ୍ଦ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖାଯାଇଛି। ଚିଠିରେ ଦର୍ଶାଯାଇଛି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ସଭ, ଜନ ସମାଗମ କାର୍ଯ୍ୟ ବାତିଲ କରାଯାଇଥିବା ହେତୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଉତ୍କଳ ଦିବସ ପାଳନକୁ ବାତିଲ କରାଯାଇଛି। ଏହାସହ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ନ କରିବା ପାଇଁ ପରାମର୍ଶ ଦିଆଯାଇଛି। ପ୍ରଥମ ଥର ପାଇଁ ଉତ୍କଳ ଦିବସକୁ ବାତିଲ କରିବା ପାଇଁ ସରକାରୀ ଭାବେ ଘୋଷଣା କରାଯାଇଛି। ୧୯୩୬ ଏପ୍ରିଲ ପହିଲାରେ ଓଡ଼ିଶା ଏକ ସ୍ବତନ୍ତ୍ର ଭାଷାଭିତ୍ତିକ ପ୍ରଦେଶର ମାନ୍ୟତା ଲାଭ କରିଥିଲା। ବିହାରଠାରୁ ଅଲଗା ହୋଇ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଐତିହାସିକ ଦିବସକୁ ମନେ ରଖିବା ଲାଗି ରାଜ୍ୟ ସରକାର ପ୍ରତିବର୍ଷ ଜାତୀୟ ଓ ଜିଲାସ୍ତରରେ ଏପ୍ରିଲ ୧ତାରିଖକୁ ଉତ୍କଳ ଦିବସ ଲାଗି ପାଳନ କରିଆସୁଛନ୍ତି ।

Share