କୋଭିଡ-୧୯ ମୁକାବିଲା ପାଇଁ ଜରୁରିକାଳୀନ ହସ୍‌ପିଟାଲ: ଛାତ୍ରାବାସକୁ କରାଗଲା ପ୍ରସ୍ତୁତି

ଦାରିଙ୍ଗବାଡି,୨୮।୩(ଡି.ଏନ୍‌.ଏ.)- କୋଭିଡ-୧୯ ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଦାରିଙ୍ଗବାଡିଠାରେ ଥିବା ମଙ୍ଗଳ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସ କୋଠା ଗୁଡିକୁ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କରାଯାଉଛି। ଏଥିପାଇଁ କୋଠା ଗୁଡିକୁ ରଙ୍ଗ ଦିଆଯିବା ସହ ୨୪ ଘଣ୍ଟିଆ ବିଦ୍ୟୁତ୍‌ସେବା ପାଇଁ ଡିଜେଲ ଜେନେନେଟର ସହ ଶତାଧିକ ଫ୍ୟାନ, ଲାଇଟ୍‌, ୱାଶିଂ ମେଶିନ ବ୍ୟବସ୍ଥା କରାଯାଇଛି। ଛାତ୍ରାବାସର ଖଟ ଗୁଡିକୁ ସଫେଇ ସହ ବ୍ଲିଚିଂରେ ବିଶୋଧନ କରାଯାଇଛି। ୪୦୨ ବିଶିଷ୍ଟ ଏହି କୋଭିଡ-୧୯ ଜରୁରୀକାଳୀନ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର, ନର୍ସ ସମେତ ସ୍ବାସ୍ଥ୍ୟକର୍ମୀଙ୍କ ରହିବା ଖାଇବା ଆଦି ବ୍ୟବସ୍ଥା କରାଯାଉଛି। ଏହି ପ୍ରସ୍ତୁତ ପାଇଁ ଜିଲାପାଳ ଡ. ବୃନ୍ଦା ଡିଙ୍କ ର୍ନିଦ୍ଦଶକ୍ରମେ ବିଡିଓ ଡ. ଜଗଦୀଶ ଷଡଙ୍ଗୀଙ୍କ ତତ୍ତ୍ୱାବଧାନରେ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ମନ୍ମଥ ସୁବୁଦ୍ଧି, ଆକାଉଣ୍ଟସ୍‌ ଅଫିସର କ୍ଷେତ୍ରୀବର ଜାନୀ ସାଉଥ୍‌କୋ ଯନ୍ତ୍ରୀ ଶିବପ୍ରସାଦ ନାୟକ ପ୍ରମୁଖ ଯୁଦ୍ଧକାଳୀନ ଭିତ୍ତିରେ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରସ୍ତୁତ କରୁଛନ୍ତି।