ବ୍ୟୁନସ୍ ଆୟର୍ସ,୯।୫ (ଏଏଫ୍ପି): କୋଭିଡ-୧୯ ମାହମାରୀ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଛନ୍ତି ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନା। ବ୍ୟୁନସ ଆୟର୍ସର ଗରିବ ଲୋକଙ୍କ ସହାୟତା ପାଇଁ ମରାଡୋନାଙ୍କ ଅଟୋଗ୍ରାଫ୍ ସମ୍ବଳିତ ଜର୍ସିକୁ ଏକ ଲଟେରୀ ଦ୍ୱାରା ବିକ୍ରି କରାଯିବ। ଏଥିରୁ ଉପାର୍ଜିତ ହେବାକୁ ଥିବା ଅର୍ଥକୁ ଏହି ଗରିବ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ। କରୋନା ଭାଇରସ କାରଣରୁ ଦେଶରେ ଚାଲିଥିବା ଲକ୍ ଡାଉନ୍ ଓ କ୍ୱାରାଣ୍ଟାଇନ୍ ନିୟମ କାରଣରୁ ପ୍ରଭାବିତ ହୋଇଥିବା ଗରିବ ଲୋକମାନେ ଏଥିରୁ ଉପକୃତ ହେବେ। ୧୯୮୬ ଫିଫା ବିଶ୍ୱକପ୍ରେ ମାରାଡୋନ ଐତିହାସିକ ପ୍ରଦର୍ଶନ କରି ଆର୍ଜେଣ୍ଟିନାକୁ ଚାମ୍ପିୟନ କରାଇଥିଲେ। ଏହି ବିଶ୍ୱକପ୍ରେ ସେ ପିନ୍ଧିଥିବା ଏକ ଜର୍ସିର ପ୍ରତିକୃତି ବା ରେପ୍ଳିକାରେ ଅଟୋଗ୍ରାଫ୍ ଦେଇଛନ୍ତି।
ପ୍ରଥମେ ଏହି ଜର୍ସିକୁ ନିଲାମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ପୂର୍ବରୁ ଯେଉଁମାନେ ବହୁ ପରିମାଣରେ ଅର୍ଥ ଦାନ କରିଛନ୍ତି ସେମାନଙ୍କ ପାଇଁ ଏହି ଜର୍ସିକୁ ଲଟେରି ମାଧ୍ୟମରେ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରୁ ବହୁ ପରିମାଣର ଅର୍ଥ ସଂଗ୍ରହ କରାଯାଇପାରିବ। ମାରାଡୋନା ଆମ ପାଇଁ କ’ଣ କରିଛନ୍ତି ସେ ନିଜେ ବି ଚିନ୍ତା କରିପାରିବେ ନାହିଁ। ଏହି ଜର୍ସି ଆମ ପାଇଁ ଅମୂଲ୍ୟ। ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କଠାରେ ରୁଣୀ ରହିବି ବୋଲି ସ୍ଥାନୀୟ ନାଗରିକ ମାର୍ଟା ଗୁଟିଏରେଭ କହିଛନ୍ତି। ଏହି ମହାମାରୀ କାରଣରୁ ଆର୍ଜେଣ୍ଟିନା ଅର୍ଥନୀତି ବହୁତ କ୍ଷତିଗ୍ରସ୍ତ ହୋଇଛି।