କୋଭିଡ-୧୯ ଲେଖି କାଠ ଚୋରା ଚାଲାଣ

ସମ୍ବଲପୁର,୧୮ା୪(ବ୍ୟୁରୋ)-ରାଜ୍ୟ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ନେବା ଆଣିବା ପାଇଁ ଗାଡି ଗୁଡିକୁ ପାସ୍‌ ଦେଇଛନ୍ତି। ଫଳରେ ଗାଡି ସମ୍ମୁଖରେ କୋଭିଡ- ୧୯ ଲେଖାଥିବାରୁ କେଉଁଠି ନ ଅଟକି ସୁବଧାରେ ଯିବା ଆସିବା କରିପାରିବ। ହେଲେ ଏହି ସୁଯୋଗକୁ ହାତ ଛଡା କରିନାହାନ୍ତି କାଠ ଚୋରା ଚାଲାଣକାରୀ । ଶନିବାର ମାନେଶ୍ୱର ଛକ ନିକଟରେ ଏକ ମିନି ଟ୍ରକ୍‌ରେ କାଠ ଚାଲାଣ ବେଳେ ବନ ବିଭାଗ ଧରିଛି। ହେଲେ ଗାଡିରେ ଥିବା ୪ ଜଣ ବ୍ୟକ୍ତି ଫେରାର ହୋଇଯାଇଛନ୍ତି । ବନ ବିଭାଗ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସଦର ରେଞ୍ଜର ଗୌରୀ ଦାସ କହିଛନ୍ତି । ସୂଚନାଯୋଗ୍ୟ, ଝାଙ୍କରପାଲି ଫରେଷ୍ଟର ଏସ.କେ. ଡନସେନାଙ୍କ ସହ ଟିମ୍‌ ପାଟ୍ରୋଲିଂ କରୁଥିଲା। ମାନେଶ୍ୱର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଏକ ମିନିଟ୍ରକ୍‌ (ଓଡି- ୧୬-ଡି-୦୬୯୭) ଛିଡା ହୋଇଥିବା ଦେଖି ବନ କର୍ମଚାରୀ ସନ୍ଦେହ କରି ପଚାରିବାବେଳେ ୪ ଜଣ ବ୍ୟକ୍ତି ଗାଡି ଛାଡି ଫେରାର ହୋଇଯାଇଥିଲେ । ଏହି ସମୟରେ ଗାଡିର ଆଗରେ କୋଭିଡ୍‌-୧୯ ଗାଡି ପାସ୍‌ ଲାଗିଥିବା ବନ ବିଭାଗ ନଜରକୁ ଆସିଛି। ତେବେ ଗାଡିରୁ ୨୦ ଖଣ୍ଡ ସାଗୁଆନ କାଠ ଜବତ ହୋଇଛି। ଏହାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ। ଅନ୍ୟପକ୍ଷେ ଗାଡି ନମ୍ବର ମଧ୍ୟ ଜାଲ୍‌ ହୋଇଥାଇ ପାରେ। ତେଣୁ ତଦନ୍ତ ଜାରି ରହିଛି ବୋଲି ବନ ବିଭାଗ କହିଛି।

Share