Categories: ଖେଳ

କୋଭିଡ-୧୯ ସଂକ୍ରମଣ: ଥୋମାସ, ଉବର କପ୍‌ ଘୁଞ୍ଚିଲା

ନୂଆଦିଲ୍ଲୀ,୨୧।୩(ପି.ଟି.): କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟଏଫ୍‌) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ବିଶ୍ୱର ଶ୍ରେଷ୍ଠ ପୁରୁଷ ଓ ମହିଳା ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ ରୂପେ ମାନ୍ୟତା ପାଇଥିବା ଥୋମାସ କପ୍‌ ଓ ଉମର କପ୍‌କୁ ୩ ମାସ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ବିଡବ୍ଲ୍ୟୁଏଫ୍‌ ନିଷ୍ପତ୍ତି ନେଇଛି। ପୂର୍ବରୁ ଏହି ଦୁଇ ଟୁର୍ନାମେଣ୍ଟ ଡେନମାର୍କରେ ମେ ମାସ ୧୬ରୁ ୨୪ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା।
ଟୁର୍ନାମେଣ୍ଟ ଆୟୋଜକ ବ୍ୟାଡମିଣ୍ଟନ ଡେନ୍‌ମାର୍କ ସହ ଆଲୋଚନା ଓ ପରାମର୍ଶ କରିବା ପରେ ବିଡବ୍ଲ୍ୟଏଫ୍‌ ଏହି ନିଷ୍ପତ୍ତି ନେଇଛି। ଏବେ ଏହି ଟୁର୍ନାମେଣ୍ଟ ଡେନମାର୍କର ଆରହୁସ୍‌ଠାରେ ଅଗଷ୍ଟ ୧୫ରୁ ୨୩ ତାରିଖ ମଧ୍ୟରେ ଆୟୋଜନ କରାଯିବ ବୋଲି କୁହାଯାଇଛି। କୋଭିଡ-୧୯ ଏବେ ସାରା ବିଶ୍ୱରେ ମହାମାରୀର ରୂପ ନେଇଛି। ତେଣୁ ଏହି ଟୁର୍ନାମେଣ୍ଟ ଘୁଞ୍ଚାଇବାକୁ ଆମେ ନିଷ୍ପତ୍ତି ନେଉଛୁ ବୋଲି ବିଡବ୍ଲ୍ୟଏଫ୍‌ ତରଫରୁ କୁହାଯାଇଛି। ପୂର୍ବରୁ ଶୁକ୍ରବାର ବିଡବ୍ଲ୍ୟୁଏଫ୍‌ ୫ଟି ଟୁର୍ନାମେଣ୍ଟକୁ ସସ୍‌ପେଣ୍ଡ କରିବାକୁ ନିଷ୍ପତ୍ତି ନେଇଥିଲା। ଏଥିରେ ୩ଟି କଣ୍ଟିନେଣ୍ଟାଲ ଚାମ୍ପିୟନଶିପ୍‌ ସାମିଲ ରହିଛି ଓ ଏଗୁଡିକ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ରୂପେ ବିବେଚିତ ହେଉଥିଲା।
ଖେଳାଳି, ଦର୍ଶକ, ଅଫିସିଆଲ ଓ ପୂରା ବ୍ୟାଡମିଣ୍ଟନ ସମୁଦାୟ ସ୍ବାସ୍ଥ୍ୟ, ନିରାପତ୍ତା ନେଇ ଆମେ କୌଣସି ରିସ୍କ ନେବାକୁ ଚାହୁଁନାହୁଁ। ତେଣୁ ବ୍ୟାଡମିଣ୍ଟନ ଡେନମାର୍କ ସହ ପରାମର୍ଶ କରି ଆମେ ଏହି ନିଷ୍ପତ୍ତି ନେଇଛୁ ବୋଲି ବିଡବ୍ଲ୍ୟୁଏଫ୍‌ ସାଧାରଣ ସମ୍ପାଦକ ଥୋମାସ ଲୁଣ୍ଡ କହିଛନ୍ତି। ବିଡବ୍ଲ୍ୟୁଏଫ୍‌ କାଉନସିଲ, ବ୍ୟାଡମିଣ୍ଟନ ଡେନମାର୍କ, ବିଡବ୍ଲ୍ୟୁଏଫ୍‌ କମର୍ସିଆଲ ପାର୍ଟନର ମିଳିତ ଭାବେ ସହମତିରେ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବଡବ୍ଳ୍ୟୁଏଫ୍‌ ମେମ୍ବର୍ସ ଫୋରମ ଓ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)କୁ ମଧ୍ୟ ଘୁଞ୍ଚାଇଦେଇଛି। ଏହି ଇଭେଣ୍ଟ ଏବେ ଆଗାମୀ ଅଗଷ୍ଟ ୨୦ ଓ ୨୧ ତାରିଖରେ ଆୟୋଜନ ହେବ।

Share