Categories: ନୂଆପଡ଼ା

କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମୀକ୍ଷା: ଶିଶୁ, ମାତୃ ମୃତ୍ୟୁହାର ରୋକିବାକୁ ଜିଲାପାଳଙ୍କ ତାଗିଦ

ନୂଆପଡା ଅଫିସ/କୋମନା,୨୪।୯(ଡି.ଏନ.ଏ.)
ନୂଆପଡା ଜିଲାର ଉପାନ୍ତ ତଥା ଅବହେଳିତ ବ୍ଲକ କୋମନା ଅଞ୍ଚଳରେ ବିଭିନ୍ନ ସମୟରେ ମାତୃ ଏବଂ ଶିଶୁ ମୃତ୍ୟୁହାର ବୃଦ୍ଧି ଘଟିଥିବାର ବହୁ ନଜିର ରହିଛି। ଏହି ଅଞ୍ଚଳରେ ଲୋକଙ୍କ ସରଳତାର ସୁଯୋଗ ନେଇ ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁ ଅବହେଳା କରୁଥିବା ଅଭିଯୋଗ ହେଉଥିବାବେଳେ ଜିଲାପାଳ ମଧୁସ୍ମିତା ସାହୁ ବିଶେଷ ଦୃଷ୍ଟି ଦେଇଛନ୍ତି । ଏଠାରେ ଶିଶୁ ଏବଂ ମାତୃମୃତ୍ୟୁ ହାର ରୋକିବାକୁ ଯତ୍ନବାନ ହେବାକୁ ଜିଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଅବହେଳା କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚାଇ ଦେଇଛନ୍ତି । ସୋମବାର ତାଙ୍କର କୋମନା ବ୍ଲକ ଗସ୍ତ ସମୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ଉପରେ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି ।
କୋମନା ବ୍ଲକ ପରିସରରେ କୋମନା ବ୍ଲକର ସ୍ବାସ୍ଥ୍ୟ ସମସ୍ୟା ଉପରେ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ଜିଲାପାଳ ସାହୁ ଅଧ୍ୟକ୍ଷତା କରିଥିବାବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡା. ଦିବାକର ଓଝାଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ସମସ୍ତ ଅଧିକାରୀମାନେ ଯୋଗଦେଇଥିଲେ। ଏଥିରେ ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀମାନେ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଜିଲାପାଳ ଗୋଟି ଗୋଟି କରି ବୁଝିଥିଲେ। ଉକ୍ତ ଅଞ୍ଚଳରେ ଘଟୁଥିବା ବିଭିନ୍ନ ସ୍ବାସ୍ଥ୍ୟ ଭିତିକ ସମସ୍ୟା ଉପରେ ମଧ୍ୟ ଜିଲାପାଳ ଖବର ରଖିଥିଲେ। ଏହି ବ୍ଲକ ଅଞ୍ଚଳରେ ସୁନାବେଡା ଭଳି ଦୁର୍ଗମ ଅଞ୍ଚଳ ସବୁ ରହିଛି । ଏଠାରେ ବିଭିନ୍ନ ରୋଗରେ ଲୋକେ ମୃତ୍ୟୁବରଣ କରୁଛନ୍ତି । ସେମାନଙ୍କୁ ଉପଯୁକ୍ତ ସେବା ଏବଂ ପରାମର୍ଶ ଦିଆଯିବା ଆବଶ୍ୟକତା ରହିଥିବା କହିଥିଲେ । ଡାକ୍ତରଖାନାରେ ସବୁବେଳେ ଆବଶ୍ୟକ ମୁତାବକ ଜୀବନ ରକ୍ଷାକାରୀ ଔଷଧ ମହଜୁଦ ରଖିବାକୁ କହିଥିଲେ। ଏହି ପରିପ୍ରେକ୍ଷୀରେ ଡା. ଓଝା ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ବିବରଣୀ ରଖିଥିଲେ। ଶେଷରେ ଡା. ଓଝା ଧନ୍ୟବାଦ ଜ୍ଞାପନ କରିଥିଲେ । ବହୁ ଦିନ ପରେ ଜଣେ ଜିଲାପାଳ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ସମୀକ୍ଷା କରିଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।