ଲସ୍ ଆଞ୍ଜେଲସ୍: ଆମେରିକାର ପପ୍ ସିଙ୍ଗର ତଥା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍ ଜୋନାସ୍ ଜଣେ ଇଣ୍ଟରନ୍ୟାଶନାଲ ଷ୍ଟାର। ପ୍ରିୟଙ୍କାଙ୍କୁ ବିବାହ କରିବା ପରେ ଭାରତରେ ବି ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ିଛି। ନିକଟରେ ଏକ ଇଣ୍ଟରଭ୍ୟୁରେ ନିକ୍ ନିଜ ବିଷୟରେ ଏଭଳି କଥା କହିଛନ୍ତି, ଯାହା ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ନିକ୍ କହିଛନ୍ତି, ସେ ମାତ୍ର ୧୩ ବର୍ଷ ବୟସରୁ ସେ ଟାଇପ୍-୧ ଡାଇବେଟିସ୍ରେ ପୀଡ଼ିତ। ତାଙ୍କୁ ଏହି ରୋଗ ହୋଇଥିବା ଜାଣିବା ବେଳକୁ ଏ ସମ୍ପର୍କରେ ସେ ସଚେତନ ନ ଥିଲେ। ସେ ଭଲ ହୋଇପାରିବେ କି ନାହିଁ ବୋଲି ବାରମ୍ବାର ତାଙ୍କ ମା’ବାପାଙ୍କୁ ପଚାରୁଥିଲେ। ତାଙ୍କୁ ଲାଗୁଥିଲା କି ସେ ମରିଯିବେ। ଆଉ ସେ ଯାହା କରିବାକୁ ଚାହଁୁଛନ୍ତି ତାହା କେବେ କରିପାରିବେନାହିଁ। ସେ ଆହୁରି କହିଛନ୍ତି, ଯଦି ମତେ ଗୋଟିଏ ଦିନ ପୂର୍ବରୁ ମେଡିକାଲ ନିଆଯାଇ ନ ଥାନ୍ତା ତା’ହେଲେ ମୁଁ କୋମାକୁ ଚାଲିଯାଇଥାନ୍ତି। ଏବେ ବି ନିକ୍ ଡାଇବେଟିସ୍ ରୋଗରେ ପୀଡ଼ିତ। କିନ୍ତୁ ପରିସ୍ଥିତି ସହ ସେ ଖାପଖୁଆଇ ନେଇଛନ୍ତି ବୋଲି ନିକ୍ କହିଛନ୍ତି। ଉଲ୍ଲେଖଥାଉ କି, ପ୍ରିୟଙ୍କା ଚୋପ୍ରା ୨୦୧୮ ଡିସେମ୍ବର ୧ ରେ ନିକ୍ଙ୍କୁ ବିବାହ କରିଥିଲେ। ଯୋଧପୁରର ଏକ ହୋଟେଲରେ ସେମାନଙ୍କ ବିବାହ ହୋଇଥିଲା। ବାହାଘର ପରେ ପ୍ରିୟଙ୍କା ‘ଦି ସ୍କାଏ ଇଜ୍ ପିଙ୍କ’ ମାଧ୍ୟମରେ ବଲିଉଡ୍ରେ ପୁଣିଥରେ ପାଦ ଥାପିଛନ୍ତି। ତାଙ୍କର ଏହି ଫିଲ୍ମ ଆସନ୍ତା ୧୧ ଅକ୍ଟୋବରରେ ରିଲିଜ୍ ହେବ।