କୋରାପୁଟରେ ୮୭୮.୨ ମିମି ବର୍ଷା ରେକର୍ଡ: ବ୍ରିଜ ଉପରେ ଚାଲିଛି ପାଣି, ନନ୍ଦପୁର-ଲମତାପୁଟ ଯୋଗାଯୋଗ ବିଚ୍ଛିନ୍ନ

କୋରାପୁଟ,୬।୯(ସ୍ବ.ପ୍ର.)- କୋରାପୁଟ ଜିଲାରେ ଶୁକ୍ରବାର ୮୭୮.୨ ମିମି ବର୍ଷା ହୋଇଥିବା ଜିଲା ଜରୁରି ବିଭାଗ ପକ୍ଷରୁ ସୁଚନା ମିଳିଛି। ସେଥିମଧ୍ୟରୁ ଜିଲାର ନନ୍ଦପୁର ବ୍ଲକରେ ସର୍ବାଧିକ ୧୫୫.୪ ମିମି ବର୍ଷା ହୋଇଥିବାବେଳେ ସେମିଳିଗୁଡା ବ୍ଲକରେ ୫୯ ମିମି, କୋଟପାଡ ବ୍ଲକରେ ୧୨୮ ମିମି, ପଟ୍ଟାଙ୍ଗି ବ୍ଲକରେ ୪୫.୨ ମିମି, ନାରାୟଣପାଟଣା ବ୍ଲକରେ ୧୦.୪ ମିମି, କୋରାପୁଟ ବ୍ଲକରେ ୭୦.୮ ମିମି, ଲମତାପୁଟ ବ୍ଲକରେ ୬୯.୨ ମିମି ,ଦଶମନ୍ତପୁର ବ୍ଲକରେ ୫୮ ମିମି, ଲକ୍ଷ୍ମୀପୁର ବ୍ଲକରେ ୮ ମିମି, ଜୟପୁର ବ୍ଲକରେ ୫୪.୮ ମିମି, ବନ୍ଧୁଗାଁ ବ୍ଲକରେ ୧୫ ମିମି, କୁନ୍ଦ୍ରା ବ୍ଲକରେ ୪୪ ମିମି, ବୋରିଗୁମ୍ମା ବ୍ଲକରେ ୧୦୦.୪ ମିମି ବର୍ଷା ହୋଇଥିବାବେଳେ ବୈପାରିଗୁଡା ବ୍ଲକରେ ୬୦ ମିମି ବର୍ଷା ହୋଇଥିବା ବିଭାଗ ପକ୍ଷରୁ ସୁଚନା ମିଳିଛି। ନନ୍ଦପୁର ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ନନ୍ଦପୁର ଓ ଲମତାପୁଟ ରାସ୍ତାରେ ଏକ ବ୍ରିଜ ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ନନ୍ଦପୁର ଓ ଲମତାପୁଟ ଗାଡି ଚଳାଚଳ ବନ୍ଦ ରହିଛି। ସେହିପରି ଇନ୍ଦ୍ରାବତୀର ୨ଟି ଗେଟ ଖୋଲାଯାଇଥିବା ଏବଂ କୋଟପାଡ଼ ଅଞ୍ଚଳରେ ୧୨୮ ମିମି ବର୍ଷା ହୋଇଥିବାରୁ ବରାଣ୍ଡି ସୁର୍ଲୀ ଓ ଷଡରଙ୍ଗା ଆଦି ବ୍ରିଜରେ ବର୍ଷା ପାଣି ବୃଦ୍ଧି ପାଇଥିଲେ ମଧ୍ୟ ସମସ୍ତ ଅଞ୍ଚଳରେ ବନ୍ୟା ପାଣି ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ଜିଲା ଜରୁରୀ ଅଧିକାରୀ ସିର୍ଦ୍ଧାର୍ଥ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସେହିପରି ବର୍ତ୍ତମାନ ତେଲେଙ୍ଗିରି ଡ୍ୟାମରେ ଜଳସ୍ତର ୬୨୫.୨୦ ମିଟର ରହିଥିବାବେଳେ ଏହାର ବିପଦ ସଙ୍କେତ ଜଳସ୍ତର ହେଉଛି ୬୩୩ ମିଟର, ସେହିପରି କୋଲାବ ଡ୍ୟାମର ଜଳସ୍ତର ଶୁକ୍ରବାର ୮୫୪.୭୫ ମିଟର ଥିବାବେଳେ ଏହାର ବିପଦ ସଙ୍କେତ ଜଳସ୍ତର ହେଉଛି ୮୫୮ ମିଟର ବୋଲି ଜଣାପଡ଼ିଛି।