Categories: ଜାତୀୟ

କୋର୍ଟରେ ପଡ଼ିରହିଛି ସାଢ଼େ ୪୪ ଲକ୍ଷରୁ ଅଧିକ ମାମଲା: ବିଚାରପତିଙ୍କ ଅବସର ବୟସ ସୀମା ବଢ଼ାଇବାକୁ ମୋଦିଙ୍କୁ ଗୋଗୋଇଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୨।୬: ଦେଶର ବିଭିନ୍ନ କୋର୍ଟରେ ସାଢ଼େ ୪୪ ଲକ୍ଷରୁ ଅଧିକ ମାମଲାର ବିଚାର ନ ହୋଇ ପଡ଼ିରହିଛି। ତେବେ ଏହାର ସମାଧାନ ପାଇଁ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି। ଅଧିକ ସଂଖ୍ୟକ ବିଚାରପତି ନିଯୁକ୍ତି ସହିତ ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା ବୃଦ୍ଧି ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ମାତ୍ର ଏଥିପାଇଁ ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଛି। ସମ୍ବିଧାନରେ ସୁପ୍ରିମ୍‌କୋର୍ଟ ପାଇଁ ୩୧ଜଣ ବିଚାରପ୍ରତିଙ୍କ ନିଯୁକ୍ତିକୁ ସ୍ବୀକୃତି ଦିଆଯାଇଛି। ସେହିପରି ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା ୬୨ ରହିଛି। ଏହାକୁ ୬୫କୁ ବଢ଼ାଇବା ପାଇଁ ଗୋଗୋଇ ପରାମର୍ଶ ଦେଇଛନ୍ତି। ଏଥିପାଇଁ ମଧ୍ୟ ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଛି। ସମ୍ପ୍ରତି ଦେଶର ବିଭିନ୍ନ ହାଇକୋର୍ଟରେ ୪୪ ଲକ୍ଷରୁ ଅଧିକ ମାମଲା ବିଚାର ନ ହୋଇ ପଡ଼ି ରହିଛି। ସେହିପରି ସୁପ୍ରମ୍‌କୋର୍ଟରେ ୫୮ ହଜାର ୭ଶହ ମାମଲାର ବିଚାର ହୋଇପାରୁନି। ସୁପ୍ରିମ୍‌କୋର୍ଟରେ ୨୬ଟି ମାମଲାର ବିଚାର ୨୫ ବର୍ଷ ଧରି ଜାରି ରହିଛି। ସେହିପରି ଶହେରୁ ଅଧିକ ମାମଲାର ବିଚାର ୨୦ ବର୍ଷ ଧରି ଚାଲିଛି। ପ୍ରାୟ ୬ଶହ ମାମଲାର ବିଚାର ୧୫ ବର୍ଷ ଧରି ଜାରି ରହିଛି। ଅପରପକ୍ଷରେ ୪ ହଜାର ୯ ଶହ ୮୦ ମାମଲାର ବିଚାର ଗତ ୧୦ ବର୍ଷ ଧରି ଚାଲିଥିବା ଗୋଗୋଇ ସୂଚିତ କରିଛନ୍ତି।

Share