କୋର୍ଟରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର, ୭ା୯(ବ୍ୟୁରୋ): ଜାତିଆଣ ଆକ୍ଷେପ ମାମଲା ନେଇ ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଶୁକ୍ରବାର ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ହାଜର ହୋଇଛନ୍ତି। ଏହି ମାମଲାରେ ଷଡ଼ଙ୍ଗୀଙ୍କ ବିରୋଧରେ ଏସ୍‌ସି, ଏସ୍‌ଟି ଆକ୍ଟରେ ୨୦୦୪ ଓ ୨୦୧୧ ମସିହାରେ ୨ଟି ମାମଲା ରୁଜୁ ହୋଇଥିଲା। ବାଲେଶ୍ୱର ଓ ନୀଳଗିରି ଏସ୍‌ଡିଜେଏମ୍‌ କୋର୍ଟରେ ଏହି ଦୁଇଟି ମାମଲାର ବିଚାର ଚାଲିଥିଲା। ରାଜ୍ୟର ଏମ୍‌ପି ଏବଂ ବିଧାୟକଙ୍କ ନାମରେ ଜଡ଼ିତ ମାମଲାର ବିଚାର କରିବା ନେଇ ଭୁବନେଶ୍ୱରରେ ସ୍ବତନ୍ତ୍ର କୋର୍ଟ ବ୍ୟବସ୍ଥା ରହିଛି। ତେଣୁ ଷଡ଼ଙ୍ଗୀ ଏମ୍‌ପି ହେବା ପରେ ଉକ୍ତ ମାମଲା ଦ୍ୱୟକୁ ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟଙ୍କୁ ପଠାଇ ଦିଆଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ଶୁକ୍ରବାର ହାଜର ହୋଇଥିଲେ। ଏ ନେଇ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି, ସ୍ପେଶାଲ କୋର୍ଟଙ୍କ ନୋଟିସ ମୁତାବକ ସେ ହାଜର ହୋଇଛନ୍ତି। ତାଙ୍କର ନାମରେ ରୁଜୁ ହୋଇଥିବା ଦୁଇଟି ମାମଲାରେ କୌଣସି ସତ୍ୟତା ନାହିଁ। ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ନାମରେ ଏଭଳି ମାମଲା ରୁଜୁ କରାଯାଇଛି। ସତ୍ୟର ବିଜୟ ହେବା ସହ ଆଗାମୀ ଦିନରେ ସତ୍ୟ ସାସ୍ନାକୁ ଆସିବ। କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ସେ ଘଟଣା ସମ୍ପର୍କରେ କୌଣସି ମତ ଦେବାକୁ ମନା କରିଥିଲେ। ସେହିପରି ତାଙ୍କ ଓକିଲ ବିଜୟ ସିଂ କହିଛନ୍ତି, ରାଜନୈତିକ ଦୃଷ୍ଟିରୁ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ନାମରେ ମିଥ୍ୟା ମାମଲା ରୁଜୁ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ଶୁକ୍ରବାର ଭୁବନେଶ୍ୱର କୋର୍ଟରେ ହାଜର ହେବାକୁ ଆସିଥିଲେ।