କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

ବଲାଙ୍ଗୀର ଅଫିସ,୨୪ା୧: ବଲାଙ୍ଗୀର ଜିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ମଙ୍ଗଳବାର ଜିଲା ଏସଡିଜେଏମ୍‌ କୋର୍ଟରେ ହାଜର ହୋଇଛନ୍ତି। ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ହାଇକୋର୍ଟ ସର୍ତ୍ତମୂଳକ ଭାବେ ମିଳିଥିବା ମାତ୍ର ୪ ଦିନିଆ ଜାମିନ ଅବଧି ସରିଯିବାରୁ ସେ କୋର୍ଟରେ ହାଜର ହୋଇଥିବା ଜଣାପଡିଛି। ହାଜର ପରେ ତାଙ୍କୁ ବଲାଙ୍ଗୀର ଜେଲ୍‌ ସ୍ଥାନାନନ୍ତର କରାଯିବ। ଗତ ୨୪ ତାରିଖରେ ପୁଞ୍ଜିଲାଲ ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ୪ ଦିନିଆ ଜାମିନରେ ଯାଇଥିଲେ। ସୂଚନାଥାଉ କି, ଏହି ସମ୍ବେଦନଶୀଳ ଘଟଣା ୨୦୧୮ ଫେବୃୟାରୀ ୨୩ ତାରିଖରେ ଘଟିଥିଲା। ପାଟଣାଗଡ଼ ଅଞ୍ଚଳର ନବବିବାହିତ ସୌମ୍ୟଶେଖର ସାହୁଙ୍କ ପାଖକୁ ଏକ ପାର୍ସଲ ଆସିଥିଲା। ଏହି ପାର୍ସଲ ଖୋଲିବା ମାତ୍ରେ ତାହା ବିସ୍ଫୋରଣ ହୋଇଥିଲା। ଏଥିରେ ସୌମ୍ୟ ଓ ତାଙ୍କ ଜେଜେମା’ ଜେମାମଣିଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସୌମ୍ୟଙ୍କ ସ୍ତ୍ରୀ ରିମା ଗୁରୁତର ହୋଇଥିଲେ। ଉକ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୨୦୧୮ ଏପ୍ରିଲ ୨୫ରେ ପୁଞ୍ଜିଲାଲଙ୍କୁ ଗିରଫ କରାଯାଇଥିଲା।

Share