Categories: କନ୍ଧମାଳ

କୋର୍ଟ କାର୍ଯ୍ୟ ତଦାରଖ କଲେ ହାଇକୋର୍ଟ ବିଚାରପତି

ଫୁଲବାଣୀ ଅଫିସ, ୧୯ା୧-ଓଡିଶା ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଶନିବାର ଫୁଲବାଣୀ କୋର୍ଟ କାର୍ଯ୍ୟ ତଦାରଖ କରିଛନ୍ତି। ଏଥିସହ ନୂଆ କୋର୍ଟ ପାଇଁ ବିଶିପଡାଠାରେ ଚିହ୍ନଟ ହୋଇଥିବା ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଛନ୍ତି। ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାବେଳେ ବିଚାରପତି ଆସି ଫୁଲବାଣୀସ୍ଥିତ ସର୍କିଟ ହାଉସରେ ପହଞ୍ଚତ୍ଥିଲେ। ଜିଲାଜଜ୍‌ ଶାରଦା ପ୍ରସାଦ ନାୟକ୍‌, ଫ୍ୟାମିଲି ଜଜ୍‌ ନିରଞ୍ଜନ ପଣ୍ଡା, ଭିଜିଲାନ୍ସ ଜଜ୍‌ ସତ୍ୟପୀର ମିଶ୍ର, ଜିଲା ଆଇନଜୀବୀ ସଂଘ କର୍ମକର୍ତ୍ତା ଯୋଗଦେଇ ସ୍ବାଗତ କରିଥିଲେ। ବାର ଆସୋସିଏଶନ ସମ୍ପାଦକ ମନୋଜ ପଟ୍ଟନାୟକ ସ୍ବାଗତ ଭାଷଣ ଦେବାପରେ ବିଚାରପତିଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି ଅବସରରେ ଜିଲା କୋର୍ଟରେ କର୍ମଚାରୀଙ୍କ ସଂଖ୍ୟା କମ୍‌ ଥିବାରୁ ପୂରଣ ପାଇଁ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲା। ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। କୋର୍ଟ କାର୍ଯ୍ୟ ତଦାରଖ ପାଇଁ ୧୦ ଦିନ ହେବ ହାଇକୋର୍ଟ କର୍ମଚାରୀ ଆସି ବିଭିନ୍ନ ରେକର୍ଡ ଯାଞ୍ଚ କରିଥିଲେ। ବିଚାରପତିଙ୍କ ସହ ରେଜିଷ୍ଟ୍ରାର ପ୍ରତାପ କୁମାର ପାତ୍ର ଏହି କାର୍ଯ୍ୟରେ ସାମିଲ ଥିଲେ। ସୂଚନାଯୋଗ୍ୟ ବିଶିପଡାରେ ନୂତନ କୋର୍ଟ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରାଯାଇଥିବାରୁ ଆଇନଜୀବୀ ଏବଂ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ପୌର ପରିଷଦ ଅଞ୍ଚଳରେ କିମ୍ବା କୋର୍ଟ ନିକଟବର୍ତ୍ତୀ କେଉଁଠି ସ୍ଥାନ ନିରୁପଣ କରି ନୂତନ କୋର୍ଟ ନିର୍ମାଣ ପାଇଁ ସେମାନେ ଦାବି କରିଛନ୍ତି।