Categories: ଜାତୀୟ

କୋର୍ଟ ପରିସରରୁ ତାହିର ହୁସେନଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ନୂଆଦିଲ୍ଲୀ,୫।୩: ଦିଲ୍ଲୀ ହିଂସା ଓ ଇଣ୍ଟଲିଜେନ୍ସ ବ୍ୟୁରୋ (ଆଇବି) ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ସଂମ୍ପୃକ୍ତ ଥିବା ଅଭିଯୋଗରେ ଆମ୍‌ ଆଦମୀ ପାର୍ଟି (ଏଏପି)ର ନିଲମ୍ବିତ କାଉନସିଲର ତାହିର ହୁସେନଙ୍କୁ ଦିଲ୍ଲୀ ପୋଲିସର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗିରଫ କରିଛି। ଗୁରୁବାର ରୋଜ୍‌ ଏଭେନ୍ୟୁ କୋର୍ଟରେ ନିଜକୁ ଆତ୍ମସମର୍ପଣ କରିବା ପୂର୍ବରୁ ତାହିରଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ସୂଚନାଯୋଗ୍ୟ, ଗିରଫ ଭୟରେ ତାହିର ମଙ୍ଗଳବାର କୋର୍ଟରେ ଆତ୍ମସମର୍ପଣ ପାଇଁ ଆବେଦନ କରିଥିଲେ। ହେଲେ କୋର୍ଟ ଗୁରୁବାର ଏହାର ଶୁଣାଣି କରି ତାଙ୍କର ଆବେଦନକୁ ଖାରଜ କରିଦେଇଛନ୍ତି। ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ ତାହିରଙ୍କ ବିରୋଧରେ ୩ଟି ମାମଲା ରୁଜୁ ହୋଇଛି। ଅପରପକ୍ଷେ ଗିରଫ ପୂର୍ବରୁ ତାହିର ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ମାମଲାରେ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ଏଥିପାଇଁ ସେ ନାର୍କୋ ଟେଷ୍ଟ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।

Share