କୋର୍ଟ ପରିସର ପାଲଟିଲା ରଣକ୍ଷେତ୍ର

ବାଲେଶ୍ୱର ଅଫିସ,୩୦।୮:ବାଲେଶ୍ୱର ଫାମିଲି କୋର୍ଟକୁ ଛାଡ଼ପତ୍ର ପାଇଁ ଆସିଥିବା ଏକ ଦମ୍ପତି ସୋମବାର ମାରପିଟ ଲାଗିବା ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟେ ସାମ୍ନାସାମ୍ନି ହେବା ପରେ ଯୁକ୍ତିତର୍କ ଓ ଟଣାଓଟରା ହେବାରୁ କୋର୍ଟ ପରିସର କିଛି ସମୟ ରଣକ୍ଷେତ୍ର ପାଲଟିଥିଲ। ଆଇନଜୀବୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଞ୍ଚଳର ଜଣେ ଯୁବକ ଗତ ୨୦୧୫ରେ ସହଦେବଖୁଣ୍ଟା ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହ କରିଥିଲେ। ବିବାହର ୨ ବର୍ଷ ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ କଳହ ସୃଷ୍ଟି ହେଲା। ପରେ ୨୦୧୮ରେ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରାଯାଇଥିଲା। ସୋମବାର ସେମାନେ ବାଲେଶ୍ୱର ଫାମିଲି କୋର୍ଟକୁ କାଉନସେଲିଂ ପାଇଁ ଆସିଥିଲେ। କୋର୍ଟରେ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ଏହି ଯୁକ୍ତିତର୍କ ଧୀରେ ଧୀରେ ବଢ଼ିବାରେ ଲାଗିଲା। କୋର୍ଟ ପରିସରରେ ଉଭୟ ମାରପିଟ ହୋଇଥିଲେ। ସେଠାରେ ଉପସ୍ଥିତ ଆଇନଜୀବୀମାନେ ହସ୍ତକ୍ଷେପ କରିବାରୁ ଉଭୟ କୋର୍ଟ ପରିସର ଛାଡ଼ି ପଳାଇ ଯାଇଥିଲେ।