Categories: ବାଣିଜ୍ୟ

କୋର ସେକ୍ଟର ଉତ୍ପାଦନ କମିଲା

ନୂଆଦିଲ୍ଲୀ,୧-୧୦: ଦେଶର ୮ କୋର୍‌ ସେକ୍ଟର ଶିଳ୍ପଗୁଡିକର ଉତ୍ପାଦନ ଅଗଷ୍ଟ ମାସରେ ୦.୫%କୁ ହ୍ରାସ ଘଟିଛି। ଏହି ସମୟରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ସିମେଣ୍ଟ ଏବଂ ବିଦ୍ୟୁତ ଭଳି କ୍ଷେତ୍ରର ଉତ୍ପାଦନ ପ୍ରଭାବିତ ହୋଇଥିବା ସରକାର ସୋମବାର ପ୍ରଦାନ କରିଥିବା ତଥ୍ୟରୁ ଜଣାପଡିଛି। ଗତ ବର୍ଷ ଅଗଷ୍ଟ ମାସରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ରିଫାଇନେରୀ ପ୍ରଡକ୍ଟ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଦ୍ୟୁତ ଭଳି ୮ କୋର ସେକ୍ଟର ଶିଳ୍ପର ଅଭିବୃଦ୍ଧି ୪.୭% ରହିଥିଲା। ବର୍ତ୍ତମାନ ସମୟରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ସିମେଣ୍ଟ ଏବଂ ବିଦ୍ୟୁତ ଭଳି କ୍ଷେତ୍ରରେ ଅଭିବୃଦ୍ଧି ନକାରାତ୍ମକ ରହିଛି। ଏହି କ୍ଷେତ୍ରଗୁଡିକରେ ଅଭିବୃଦ୍ଧି ହ୍ରାସ ଘଟି ଯଥାକ୍ରମେ ୮.୬%, ୫.୪%, ୩.୯%, ୪.୯% ଏବଂ ୨.୯% ରହିଥିବା ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଏହାବାଦ ସାର ଏବଂ ଇସ୍ପାତ ଉତ୍ପାଦନ ଅଭିବୃଦ୍ଧି ସକରାତ୍ମକ ରହିବା ସହ ଯଥାକ୍ରମେ ୨.୯% ଏବଂ ୫% ରହିଛି। ଚଳିତ ବର୍ଷ ଏପ୍ରିଲ ଅଗଷ୍ଟ ସମୟରେ ୮ କୋର ସେକ୍ଟର ଶିଳ୍ପ ଅଭିବୃଦ୍ଧି ୨.୪% ରହିଥିବାବେଳେ ଗତ ବର୍ଷ ସମାନ ସମୟରେ ଏହା ୫.୭% ରହିଥିଲା।

Share