Categories: ଜାତୀୟ

କୋଲକାତାରେ ମୋଦିଙ୍କ ଗସ୍ତକୁ ବିରୋଧ

କୋଲକାତା,୧୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଦିନିଆ ଗସ୍ତରେ ଶନିବାର ପଶ୍ଚିମବଙ୍ଗ ଯିବେ। ଏହାପୂର୍ବରୁ ଛାତ୍ର ସଂଗଠନ ଷ୍ଟୁଡେଣ୍ଟ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ତାଙ୍କ ଗସ୍ତକୁ ବିରୋଧ କରିଛି। ଶତାଧିକ ଛାତ୍ର କେନ୍ଦ୍ରସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ଏନ୍‌ଆରସିକୁ ବିରୋଧ କରି ‘ମୋଦି ଗୋ ବ୍ୟାକ୍‌’ ପୋଷ୍ଟର ହାତରେ ଧରି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୂଚନା ମୁତାବକ ମୋଦିଙ୍କ ଗ୍ରସ୍ତ ପୂର୍ବରୁ ୨ସଂଗଠନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଓ ରାସ୍ତାରେ ବିରୋଧ ପ୍ରଦର୍ଶନ ପାଇଁ ଯୋଜନା କରିଥିବା ଜଣାପଡ଼ିଛି। ଏଥିପାଇଁ ସୋସିଆଲ ମିଡିଆରେ ‘ହାସ୍‌ଟ୍ୟାଗ ଗୋବ୍ୟାକ୍‌ମୋଦି’ ଟ୍ରେଣ୍ଡ କରୁଥିବା ବେଳେ ବିମାନ ବନ୍ଦରରେ ଓ ଭିଆପି ରୋଡରେ ବିରୋଧ ପ୍ରଦର୍ଶନ କରିବା ପାଇଁ ଲୋକଙ୍କୁ ଆହ୍ବାନ କରାଯାଉଛି। ଯାହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଅଟକାଇ ଦିଆଯାଇପାରିବ। ଇତିମଧ୍ୟରେ ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ବିମାନ ବନ୍ଦରରୁ ସହର ପର୍ଯ୍ୟନ୍ତ ସମସ୍ତ ରାସ୍ତାକୁ ଖାଲି କରିଦିଆଯାଇଛି। ଏଥିସହ ବ୍ୟାରିକେଡ ମଧ୍ୟ ଲଗାଯାଇଛି ବୋଲି ପ୍ରଶାସନିକ ଅଧିକାରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକି ଅବସରରେ ଆୟୋଜନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବେ। ଏଥିପାଇଁ ସେ ଶନିବାର ସନ୍ଧ୍ୟାରେ କୋଲକାତାରେ ପହଞ୍ଚିବେ ବୋଲି ସୂଚନା ରହିଛି।

Share