କୋଷ୍ଟଗାର୍ଡରେ ସାମିଲ ହେଲା ‘ଭରଦ୍‌’

ପାରାଦୀପ, ୧୯।୩ (ସ୍ବ.ପ୍ର.): ଉତ୍ତର-ପୂର୍ବ ଉପକୂଳ ସମୁଦ୍ର ସୀମାରେ ପାଟ୍ରୋଲିଂ ପାଇଁ ବୁଧବାର ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ)ରେ ଅତ୍ୟାଧୁନିକ ଯୁଦ୍ଧଜାହାଜ ‘ଭରଦ’ ସାମିଲ ହୋଇଛି। ବୁଧବାରଠାରୁ ଏହା ପାରାଦୀପସ୍ଥିତ ଓଡ଼ିଶା କୋଷ୍ଟଗାର୍ଡ ମୁଖ୍ୟାଳୟ-୭ରୁ ପାଟ୍ରୋଲିଂ ଆରମ୍ଭ କରିଛି ବୋଲି କୋଷ୍ଟଗାର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଜାହାଜରେ ୩୦ ଏମ୍‌.ଏମ୍‌. ଗନ୍‌, ୧୨.୭ ଏମ୍‌.ଏମ୍‌. ଗନ୍‌ ସହ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ରହିଛି। ୯୮ମିଟର ଲମ୍ବ ଓ ୨୧୦୦ ଟନ୍‌ ବିଶିଷ୍ଟ ଓଜନର ଏହି ଜାହାଜରେ କେତେକ ସ୍ବୟଂ ସୁବିଧା ରହିଛି। ବର୍ଥରେ ଲାଗିବା ବେଳେ ଏହା ପୋଲ ଭଳି ସ୍ବୟଂ ଶିଡ଼ି କରିବ ଏବଂ ଏଥିରେ ପ୍ଲାଟଫର୍ମର ସୁବିଧା ମଧ୍ୟ ରହିଛି। ସ୍ବୟଂ ବିଦ୍ୟୁତ୍‌ ପ୍ରକ୍ରିୟାକରଣ ବ୍ୟବସ୍ଥା ସହ ଉନ୍ନତମାନର ଅଗ୍ନି ନିର୍ବାପକ ବ୍ୟବସ୍ଥା, ଦୁଇଟି ହେଲିକପ୍ଟର ଉଡ଼ାଣ ଭରିବା ଭଳି ବ୍ୟବସ୍ଥା, ୪ ହାଇସ୍ପିଡ ବୋଟ୍‌, ଦୁଇଟି ଅଗ୍ନି ନିର୍ବାପକ ଫାଇବର ବୋଟ୍‌, ‘ଲ’ ଇନ୍‌ଫୋର୍ସମେଣ୍ଟ, ମେରିଟାଇମ୍‌ ପାଟ୍ରୋଲିଂ ଅପରେଶନ କାମ ଆଦି କାମ କରିବାର କ୍ଷମତା ‘ଭରଦ’ ପାଖରେ ରହିଛି। ଏହା ଘଣ୍ଟା ପ୍ରତି ୪୬.୮ କିମି ବା ୨୬ ନଟିକାଲ ମାଇଲ ବେଗରେ ଗତି କରିପାରିବ। ଏହାର ୨ଟି ଡିଜେଲ ଇଞ୍ଜିନ୍‌ ରହିଛି। ଏକାଥରେ ୫ହଜାର ନଟିକାଲ ମାଇଲ (୯ହଜାର) କିମି ଯାଇପାରିବ। ଏଥିରେ କୋଷ୍ଟଗାର୍ଡ କମାଣ୍ଡାଣ୍ଟ ପିଣ୍ଟୁ ବାଗ୍‌ଙ୍କ ସମେତ ୧୧ ଅଫିସର ଓ ୯୧ ଜଣ ଜବାନ ଅଛନ୍ତି। ଏଲ୍‌ ଆଣ୍ଡ ଟି କମ୍ପାନୀ ପକ୍ଷରୁ ନିର୍ମିତ ଏହି ଜାହାଜ ଉତ୍ତର-ପୂର୍ବ ମୁଖ୍ୟାଳୟ କଲିକତାଠାରେ ଗତ ଫେବୃୟାରୀ ୨୮ରେ (କମିଶନିଂ) କୋଷ୍ଟଗାର୍ଡରେ ସାମିଲ ହୋଇଥିଲା। ବୁଧବାରଠାରୁ ଏହା ପାରାଦୀପରେ ସେବା ଆରମ୍ଭ କରିଛି। ଏହାକୁ ମିଶାଇ ପୂର୍ବ ଉପକୂଳରେ କୋଷ୍ଟଗାର୍ଡର ୭ଟି ଜାହାଜ ପାଟ୍ରୋଲିଂ ପାଇଁ ନିୟୋଜିତ ହୋଇଛି। ଉପକୂଳ ସୁରକ୍ଷା, ଶତ୍ରୁପକ୍ଷ ମୁକାବିଲା, ବିପର୍ଯ୍ୟୟ ବେଳେ ଉଦ୍ଧାର କାର୍ଯ୍ୟ, ସାମୁଦ୍ରିକ ପ୍ରଦୂଷଣ ରୋକିବା, ପାଣିରେ ତେଲ ଆସ୍ତରଣକୁ ନଷ୍ଟ କରିବା, ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ବିପଦ ବେଳେ ରକ୍ଷା କରିବା, ଜଳଯାନରେ ଅଗ୍ନିକାଣ୍ଡ ବେଳେ ଉଦ୍ଧାର କାମ କରିବା ପାଇଁ ପାଟ୍ରୋଲିଂ ଜାହାଜ କାର୍ଯ୍ୟ କରୁଛି।

Share