କୋଷ୍ଟାଲ ଟ୍ରେକିଂରେ ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ବାର୍ତ୍ତା

ପୁରୀ ଅଫିସ, ୧୪ା୧୨: ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଏବଂ ଆଗାମୀ ପୀଢିଙ୍କୁ ପ୍ରକୃତି ସହ ଯୋଡ଼ିିବାର ବାର୍ତ୍ତା ନେଇ ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ୍‌ ଆଡଭେଞ୍ଚର କ୍ଲବ (ବିସିଏସି) ଏବଂ ବେୟାରଫୁଟ ପକ୍ଷରୁ ଶନିବାର ଅନୁଷ୍ଠିତ ହୋଇଛି ପୁରୀ-ଚିଲିକା କୋଷ୍ଟାଲ ଟ୍ରେକିଂ। ସକାଳେ ପୁରୀ ମଡେଲ ବିଚ୍‌ଠାରୁ ଚିଲିକାର ପ୍ରାକୃତିକ ମୁହାଣ ଧଳାବାଲି ଅଭିମୁଖେ ଏହି ଟ୍ରେକିଂକୁ ଏସ୍‌ପି ଉମାଶଙ୍କର ଦାଶ ଶୁଭାରମ୍ଭ କରିଥିଲେ। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ପଦଯାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ପ୍ରାୟ ୩୦ କିମି ଏହି ପଦଯାତ୍ରାରେ ୫୦ରୁ ଊର୍ଦ୍ଧ୍ୱ ମହିଳା, ଯୁବକ, ବୁଦ୍ଧିଜୀବୀ ଏବଂ ପ୍ରଶାସକ ସାମିଲ ଥିଲେ। ଏମାନେ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା, ସାମୁଦ୍ରିକ ପର୍ଯ୍ୟାବରଣ ସୁରକ୍ଷା ଏବଂ ବେଳାଭୂମିକୁ ସ୍ବଚ୍ଛ ରଖିବା ନେଇ ସଚେତନତା ସୃଷ୍ଟି କରିଥିଲେ। ଏହି କୋଷ୍ଟାଲ ଟ୍ରେକିଂରେ ବିସିଏସି ସଭାପତି ସଞ୍ଜୀବ ପଣ୍ଡା, ସନ୍ତୋଷ ରାଉତ, ଗୋପାଳ ସାହୁ, ସ୍ନେହାଶିଷ ମହାନ୍ତି, ରଞ୍ଜନ ମହାପାତ୍ର, ରମେଶ ସାହୁ ପ୍ରମୁଖ ସାମିଲ ଥିଲେ। କାର୍ଯ୍ୟକ୍ରମକୁ ବେୟାରଫୁଟର ସମ୍ପାଦକ ଯୁଗବ୍ରତ କର, ନଟବର ସାହୁ ଏବଂ ଶାନ୍ତିରଞ୍ଜନ ମିଶ୍ର ପରିଚାଳନା କରିଥିଲେ।