କୋହଲିଙ୍କଠାରୁ ଦ୍ରୁତତମ ବାବର ଆଜାମ

ବର୍ମିଂହାମ,୨୮।୬- ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ ବାବର ଆଜାମ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନିଜର ଆଇଡଲ ବୋଲି ମନେକରନ୍ତି। ହେଲେ ମାଇଲଷ୍ଟୋନ ସ୍ପର୍ଶ କରିବାରେ କୋହଲିଙ୍କଠାରୁ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଦ୍ରୁତତମ। ବାବର ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ଅପରାଜିତ ଶତକ ଲଗାଇବା ସହ କ୍ୟାରିୟରରେ ୩ ହଜାର ରନ୍‌ ପୂରଣ କରିଛନ୍ତି। ଏହି ଅବସରରେ ସେ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲି ଏହି ମାଇଲଷ୍ଟୋନ ସ୍ପର୍ଶ କରିବା ଲାଗି ୭୫ ଇନିଂସ ନେଇଥିଲେ। କିନ୍ତୁ ୨୪ ବର୍ଷୀୟ ବାବର କ୍ୟାରିୟରର ୬୮ ତମ ଦିନିକିଆ ଇନିଂସରେ ଏହି ସଫଳତା ପାଇଛନ୍ତି। ଦିନିକିଆରେ ଦୁଇ ହଜାର ରନ୍‌ ପୂରଣ କରିବାରେ ମଧ୍ୟ ବାବର ଭାରତୀୟ ବ୍ୟାଟ୍ସମ୍ୟାନଙ୍କଠାରୁ କମ୍‌ ଇନିଂସ ନେଇଥିଲେ। ଦୁଇ ହଜାର ରନ୍‌ ପୂରଣ କରିବା ପାଇଁ ବାବରଙ୍କୁ ୪୫ ଇନିଂସ ଲାଗିଥିବାବେଳେ ବିରାଟଙ୍କୁ ୫୩ ଇନିଂସ ଦରକାର ପଡ଼ିଥିଲା। ଏଥିରୁ ସ୍ପଷ୍ଟ ଯେ, ବାବରଙ୍କ ବ୍ୟାଟିଂରେ ଦିନକୁ ଦିନ ଉନ୍ନତର ହେବାରେ ଲାଗିଛି। ତାଙ୍କ ନିକଟରେ ୧୦ ଶତକ ଥିବାବେଳେ ବିରାଟଙ୍କ ନାମରେ ୪୧ ଶତକ ରହିଛି। ପାକିସ୍ତାନ କୋଚ୍‌ ଗ୍ରାଣ୍ଟ ଫ୍ଲାଓ୍ବର କହିଛନ୍ତି, ବାବର ମଧ୍ୟ ଭାରତୀୟ ଅଧିନାୟକଙ୍କ ଭଳି ଉଚ୍ଚତା ଛୁଇଁବେ। ସେ ବିରାଟଙ୍କ ସ୍ତରୀୟ ବ୍ୟାଟ୍ସମ୍ୟାନ। ଉଲ୍ଲେଖଥାଉ କି, ଦିନିକିଆ କ୍ରିକେଟରେ ଦ୍ରୁତତମ ୩ ହଜାର ରନ୍‌ କରିବାର ରେକର୍ଡ ଦକ୍ଷିଣ ଆଫ୍ରିକୀୟ ଓପନର ହାସିମ ଆମଲାଙ୍କ ନାମରେ ରହିଛି। ସେ ୫୭ତମ ଇନିଂସରେ ୩୦୦୦ ରନ୍‌ ପୂରଣ କରିଥିଲେ।

Share