Categories: ଖେଳ

କୋହଲିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବାକୁ ଚାହୁଁଥିଲେ ଗାଙ୍ଗୁଲି

ନୂଆଦିଲ୍ଳୀ,୨୧।୧: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଖବରଦାତା ସମ୍ମିଳନୀରେ ଦିନିକିଆ ଦଳର ଅଧିନାୟକ ପଦ ଛାଡ଼ିବା ନେଇ ବିସିସିଆଇ ଅଧିକାରୀଙ୍କ ସହ କୌଣସି ଆଲୋଚନା ହୋଇ ନ ଥିବା କହିଥିଲେ। ଏଥିଯୋଗୁ କୋହଲିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବାକୁ ଚାହୁଁଥିଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲି।

କୋହଲିଙ୍କୁ ଟି୨୦ ଦଳର ଅଧିନାୟକ ପଦ ନ ଛାଡ଼ିବା ପାଇଁ କହିଥିଲି ବୋଲି ଗାଙ୍ଗୁଲି ଗତବର୍ଷ ସେପ୍ଟେମ୍ବରରେ କହିଥିଲେ। କିନ୍ତୁ ଟି୨୦ ବିଶ୍ୱକପ୍‌ ପରେ ବିସିସିଆଇର କୌଣସି ଅଧିକାରୀ ଅଧିନାୟକ ପଦ ବଜାୟ ରଖିବାକୁ କହି ନାହାନ୍ତି ବୋଲି କୋହଲି ଦାବି କରିଥିଲେ। ଏଥିଯୋଗୁ କୋହଲିଙ୍କ ଠାରୁ ଗାଙ୍ଗୁଲି କାରଣ ଦର୍ଶାଅ ନୋଟିସ ଜରିଆରେ ଉତ୍ତର ମାଗିବାକୁ ଚାହୁଁଥିଲେ। କିନ୍ତୁ ସମ୍ପାଦକ ଜୟ ଶାହ ହସ୍ତକ୍ଷେପ କରି ଗାଙ୍ଗୁଲିଙ୍କୁ ବୁଝାଇଥିଲେ। ଟିମ୍‌ ଇଣ୍ଡିଆ ଉପରେ କୌଣସି ନାକାରାତ୍ମକ ପ୍ରଭାବ ପଡ଼ିବାରୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇଥିଲେ ବିସିସିଆଇ ସମ୍ପାଦକ ଶାହା।

ଉଲ୍ଲେଖଯୋଗ୍ୟ, ଟି୨୦ ଦଳର ନେତୃତ୍ୱ ଛାଡ଼ିବା ପରେ କୋହଲି ଦିନିକିଆ ଓ ଟେଷ୍ଟ ଦଳର ନେତୃତ୍ୱ ଭାର ନେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ବଦଳରେ ଦିନିକିଆ ଦଳର ଦାୟିତ୍ୱ ରୋହିତ ଶର୍ମାଙ୍କୁ ଦିଆଯାଇଥିଲା। ଦକ୍ଷିଣ ଆଫ୍ରିକାଠାରୁ ସିରିଜ୍‌ ହାରିବା ପରେ ଟେଷ୍ଟ ଅଧିନାୟକ ପଦରୁ ମଧ୍ୟ କୋହଲି ଓହରି ଯାଇଛନ୍ତି।

Share