Categories: ଖେଳ

କୋହଲିଙ୍କୁ ଦଳରେ ନେବା ସପକ୍ଷରେ ନ ଥିଲେ ଧୋନୀ, କର୍ଷ୍ଟେନ

ମୁମ୍ବାଇ,୨୨।୪(ପିଟି)- ଜାତୀୟ ଦଳରେ ବିରାଟ କୋହଲିଙ୍କ ଖେଳିବା ସପକ୍ଷରେ ନ ଥିଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ମୁଖ୍ୟ କୋଚ୍‌ ଗ୍ୟାରୀ କର୍ଷ୍ଟେନ। ଏଭଳି କହିଛନ୍ତି ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଦିଲୀପ ଭେଙ୍ଗସରକାର। କୋହଲିଙ୍କୁ ଜାତୀୟ ଦଳରେ ଖେଳାଇବା ନେଇ ମୁଁ ପ୍ରଥମେ ପ୍ରସ୍ତାବ ଦେଇଥିଲି। ହେଲେ ଧୋନୀ ଓ କର୍ଷ୍ଟେନ ମୋ କଥା କର୍ଣ୍ଣପାତ କରି ନ ଥିଲେ ବୋଲି ରବିବାର ‘ହାଓ୍ବଜାଟ’ ନାମକ ଏକ ପୁସ୍ତକ ଉନ୍ମୋଚନ ଅବସରରେ ସେ କହିଛନ୍ତି। ଦେଶର ଉଦୀୟମାନ ଖେଳାଳିଙ୍କୁ ଜାତୀୟ ଦଳରେ ସୁଯୋଗ ଦିଆଯାଏ। ସେତେବେଳେ ମୁଁ ଚୟନ କମିଟି ମୁଖ୍ୟ ପଦରେ ଥିଲି। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ କୋହଲିଙ୍କ ପ୍ରଦର୍ଶନ ଦେଖିବା ପରେ ମୁଁ ତାଙ୍କୁ ଜାତୀୟ ଦଳରେ ଚୟନ କରିବାକୁ ପ୍ରସ୍ତାବ ଦେଇଥିଲି। ହେଲେ ଅଧିନାୟକ ଧୋନୀ ଓ କୋଚ୍‌ କର୍ଷ୍ଟନ ଅଲଗା ମତ ଦେଇଥିଲେ। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପରେ କୋହଲିଙ୍କୁ ଆହୁରି ମ୍ୟାଚ୍‌ ଖେଳିବାର ଆବଶ୍ୟକ ଥିବା ଉଭୟେ କହିଥିଲେ। କିନ୍ତୁ ମୁଁ କୋହଲିଙ୍କୁ ଜାତୀୟ ଦଳକୁ ଆଣିବା ସପକ୍ଷରେ ଥିଲି। ଏଣୁ ଏସ୍‌. ବଦ୍ରିନାଥଙ୍କୁ ଦଳରୁ ବାଦ୍‌ ଦିଆଯାଇ କୋହଲିଙ୍କୁ ଦଳରେ ସାମିଲ କରାଯାଇଥିଲା ବୋଲି ଭେଙ୍ଗସରକାର କହିଛନ୍ତି। ୨୦୦୮ ଅଗଷ୍ଟ ୧୮ ତାରିଖରେ କୋହଲି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ପୂର୍ବତନ କ୍ରିକେଟ ପ୍ରଶାସକ ଆହୁରି କହିଛନ୍ତି, ତାଙ୍କ ଯୋଗୁ ସଚିନ ତେନ୍ଦୁଲକରଙ୍କୁ ବମ୍ବେ (ଏବେ ମୁମ୍ବାଇ) ଦଳରେ ସ୍ଥାନ ମିଳିଥିଲା। ସଚିନ ବହୁତ ଯୁବ ଥିବାରୁ ତାଙ୍କ ନିଷ୍ପତ୍ତିକୁ କେହି ସମର୍ଥନ କରି ନ ଥିଲେ। ଉଲ୍ଲେଖଥାଉ କି, ଭେଙ୍ଗସରକାର ବମ୍ବେ ଦଳର ଅଧିନାୟକ ଥିବାବେଳେ ସଚିନ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ।

Share