Categories: ଖେଳ

କୋହଲିଙ୍କୁ ପଛରେ ପକାଇଲେ ମନ୍ଧାନା

ଆଣ୍ଟିଗୁଆ,୭।୧୧- ଭାରତୀୟ ମହିଳା ଦଳର ବାମହାତୀ ମହିଳା ଓପନର ସ୍ମୃତି ମନ୍ଧାନା ନିଜ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଧ ଯୋଡ଼ିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଖୁବ କମ୍‌ ଇନିଂସ ଖେଳି ଦୁଇ ହଜାର ରନ୍‌ ପୂରଣ କରିଥିତ୍ବା ଭାରତୀୟ କ୍ରିକେଟର(ଉଭୟ ବ୍ୟାଟ୍ସମ୍ୟାନ ଓ ବ୍ୟାଟ୍ସଓମେନ)ଙ୍କ ତାଲିକାରେ ମନ୍ଧାଦା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏପରି କି ଦେଶର ବହୁ ମାଇଲଷ୍ଟୋନ ଅଧିକାରୀ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ୨୩ ବର୍ଷୀୟା ବ୍ୟାଟ୍ସଓମେନ କ୍ୟାରିୟରର ମାତ୍ର ୫୧ ତମ ଇନିଂସରେ ୨୦୦୦ ରନ୍‌ ପୂରଣ କରିଛନ୍ତି। ତେବେ ବିଶ୍ୱ କ୍ରିକେଟରେ ଦୁଇ ହଜାର ରନ୍‌ ପୂରଣ କରିବାରେ ଦ୍ରୁତତମ ବ୍ୟାଟ୍ସଓମେନ ହେଉଛନ୍ତି ବେଲିଣ୍ଡା କ୍ଲାର୍କ (୪୧ ଇନିଂସ)। ତାଙ୍କ ପଛକୁ ୪୫ ଇନିଂସରେ ଦୁଇ ହଜାର ପୂରଣ କରିଥିବା ମେଗ ଲାନ୍ନିଂ ରହିଛନ୍ତି। ମନ୍ଧାନା ଏହି ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ଏପର୍ଯ୍ୟନ୍ତ ୫୧ ଦିନିକିଆ ଖେଳି ୪୩.୦୮ ହାରରେ ୨୦୨୫ ରନ୍‌ କରିଛନ୍ତି। ଏଥିରେ ୪ ଶତକ ଓ ୧୭ ଅର୍ଦ୍ଧଶତକ ରହିଛି। ୨୦୦୦ ରନ୍‌ ପୂରଣ କରିବାରେ ଶିଖର ଧାଓ୍ବନ ଭାରତୀୟଙ୍କ ମଧ୍ୟରେ ଦ୍ରୁତତମ। ସେ କ୍ୟାରିୟରର ୪୮ତମ ଇନିଂସରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଥିଲେ। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଦଳର ଅଧିନାୟକ କୋହଲିଙ୍କୁ ୨ ହଜାର ରନ୍‌ କରିବା ପାଇଁ ୫୩ ଇନିଂସ ଲାଗିଥିଲା। ପୁରୁଷ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ଅବସରପ୍ରାପ୍ତ ହାସିମ ଆମଲାଙ୍କ ନାମରେ ଏହି ରେକର୍ଡ ରହିଛି। ସେ ମାତ୍ର ୪୦ତମ ଇନିଂସରେ ଦୁଇ ହଜାର ରନ ପୂରଣ କରିଥିଲେ।

Share