Categories: ଖେଳ

କୋହଲିଙ୍କ ଅପେକ୍ଷାରେ ରେକର୍ଡ

ଅକ୍‌ଲାଣ୍ଡ,୨୨।୧- ବହୁ ରେକର୍ଡର ଅଧିକାରୀ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଆଉ ଏକ ରେକର୍ଡ ଅପେକ୍ଷା କରିଛି। ଅନ୍ତର୍ଜାତୀୟ ଟି୨୦ ଇତିହାସରେ ସର୍ବାଧିକ ଥର ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଜିତିବାରେ କୋହଲି ମିଳିତ ଶୀର୍ଷରେ ଅଛନ୍ତି। କୋହଲି ୧୨ ଥର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବାବେଳେ ସମାନ ସଂଖ୍ୟକ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି ଆଫଗାନିସ୍ତାନର ଅଲରାଉଣ୍ଡର ମହମ୍ମଦ ନବି। ୨୪ ତାରିଖଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍‌ ଟି୨୦ ବିଶିଷ୍ଟ ସିରିଜ୍‌ରେ କୋହଲି ଏହି ରେକର୍ଡର ଅଧିକାରୀ ହୋଇପାରନ୍ତି। ସର୍ବାଧିକ ଥର ଟି୨୦ ମ୍ୟାଚ୍‌ରେ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇବାରେ ନବି ଓ କୋହଲିଙ୍କ ପଛକୁ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ୧୧ (୯୯ ମ୍ୟାଚ୍‌) ରହିଛନ୍ତି। ତାଲିକାରେ ଓ୍ବେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ୍‌, ଅଷ୍ଟ୍ରେଲିଆର ଶେନ ଓ୍ବାଟଶନ, ଭାରତର ରୋହିତ ଶର୍ମା, ପାକିସ୍ତାନର ମହମ୍ମଦ ହାଫିଜ ଓ ଅଷ୍ଟ୍ରେଲିଆର ଡେଭିଡ ଓ୍ବାର୍ନର ରହିଛନ୍ତି। ଏମାନେ ୯ ଥର ଲେଖାଏ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇସାରିଛନ୍ତି।

Share