Categories: ଖେଳ

କୋହଲିଙ୍କ ୪୩ତମ ଶତକ: ସିରିଜ୍‌ ଜିତିଲା ଭାରତ

ପୋର୍ଟ ଅଫ ସ୍ପେନ, ୧୫।୮: ସ୍ବାଧୀନତା ଦିବସ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଦେଶବାସୀଙ୍କୁ ବଡ ଉପହାର ଦେଇଛି। ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ୬ ଉଇକେଟରେ ପରାସ୍ତ କରି ଦିନିକିଆ ସିରିଜକୁ ୨-୦ରେ ପୋଛି ନେଇଛି ଭାରତ। ଅଧିନାୟକ ବିରାଟ କୋହଲିଙ୍କ ମ୍ୟାଚ୍‌ରେ ରେକର୍ଡ ୪୩ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ୪୯ତମ ଶତକର ନିକଟତର ହୋଇଛନ୍ତି। କୋହଲି ଉଭୟ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଛନ୍ତି।
ମ୍ୟାଚ୍‌ ଆରମ୍ଭରୁ ବାଧା ସାଜିଥିଲା ବର୍ଷା। ଫଳରେ ୩୫ ଓଭର ବିଶିଷ୍ଟ ମ୍ୟାଚ୍‌ ଖେଳାଯିବା ନେଇ ଧାର୍ଯ୍ୟ ହୋଇଥିଲା। ଏଭଳି ସ୍ଥିତିର ଫାଇଦା ଉଠାଇବା ପାଇଁ ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର କ୍ରିସ୍‌ ଗେଲ ଓ ଇଭିଲ ଲଓ୍ବେିସ ପ୍ରଥମ ଉଇକେଟ ପାଇଁ ୧୦.୫ ଓଭରରେ ବିସ୍ଫୋରକ ୧୧୫ ରନ୍‌ କରିଥିଲେ। ଲଓ୍ବେିସ ୪୩ ରନ୍‌ କରି ଆଉଟ୍‌ ହେବା ପରେ ଅର୍ଦ୍ଧଶତକ ଲଗାଇସାରିଥିବା ଗେଲ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ସେ ଆଉଟ ହେବା ପୂର୍ବରୁ ୪୧ ବଲରୁ ୮ ଚୌକା ଓ ୫ ଛକା ବଳରେ ୭୨ ରନ୍‌ କରିଥିଲେ। ଏହାପରେ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନମାନେ ଭଲ ଆରମ୍ଭ ପାଇଥିଲେ ମଧ୍ୟ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଫଳରେ ଧାର୍ଯ୍ୟ ୩୫ ଓଭରରେ ଘରୋଇ ଦଳ ୭ ଉଇକେଟ ବିନିମୟରେ ୨୪୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ନିକୋଲାସ ପୁରାନ ୩୦, ଶିମରୋନ ହେଟମେର ୨୫ ଓ ଶାଇ ହୋପ ୨୪ ରନ୍‌ କରିଥିଲେ। ଟିମ୍‌ ଇଣ୍ଡିଆ ପକ୍ଷରୁ ଖଲିଲ ଅହମ୍ମଦ ୩, ମହମ୍ମଦ ସାମି ୨, ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲା। ଏହାପରେ ଡିଏଲ୍‌ଏସ୍‌ ନିୟମ ଅନୁଯାୟୀ ଭାରତ ଆଗରେ ୨୫୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଇନିଂସ ଆରମ୍ଭରୁ ଭାରତ ରୋହିତ ଶର୍ମା (୧୦)ଙ୍କ ଉଇକେଟ ହରାଇଥିଲା। ଅନ୍ୟତମ ଓପନର ଶିଖର ଧାଓ୍ବନଙ୍କ ସହ ଅଧିନାୟକ ବିରାଟ କୋହଲି ମିଶି ଦଳୀୟ ସ୍କୋରରେ ୬୬ ରନ୍‌ ଯୋଡ଼ିଥିଲେ। ୧୩ତମ ଓଭରରେ ଦଳକୁ ଡବଲ ଝଟ୍‌କା ଲାଗିଥିଲା। ଧାଓ୍ବନ (୩୬) ଓ ରିଷଭ ପନ୍ତ (୦) ଘରୋଇ ପେସର ଫାବିଆନ ଆଲେନଙ୍କ ବଲରେ ଆଉଟ୍‌ ହୋଇ ପ୍ୟାଭେଲିଅନ ଫେରିଥିଲେ। ସଙ୍କଟଜନକ ସ୍ଥିତିରେ କୋହଲି ଓ ଶ୍ରେୟାସ ଆୟାର ୪ର୍ଥ ଉଇକେଟ ଲାଗି ୧୨୦ ରନ୍‌ର ଭାଗୀଦାରି କରିଥିଲେ। ଅର୍ଦ୍ଧଶତକ ପୂରଣ କରିବା ପରେ ଆୟର (୬୫ ରନ୍‌, ୩ ଚୌକା ଓ ୫ ଛକା) ଆଉଟ ହୋଇଥିଲେ। ଏହାପରେ କୋହଲି ଓ କେଦାର ଯାଦବ ଦଳର ବିଜୟ ଲାଗି ଆବଶ୍ୟକ ଥିବା ରନ୍‌ ସଂଗ୍ରହ କରିନେଇଥିଲେ। ଭାରତ ୩୨.୩ ଓଭରରେ ୪ ଉଇକେଟ ହରାଇ ୨୫୬ ରନ୍‌ ବିଜୟ ହାସଲ କରିଥିଲା।

Share