Categories: ଖେଳ

କୋହଲି ଏବେ ନିରାମିଷାଶୀ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ ଫିଟ୍‌ନେସକୁ ନେଇ ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ପରିଚିତ। ଏଥି ଲାଗି ସେ ବ୍ରେକ୍‌ଫାଷ୍ଟଠାରୁ ଆରମ୍ଭ କରି ରାତ୍ର ଭୋଜନ ପର୍ଯ୍ୟନ୍ତ ନିୟମିତ ଆମିଷ ଖାଉଥିଲେ। ହେଲେ ଏବେ ସେ ନିଜ ଫିଟ୍‌ନେସକୁ ଆହୁରି ଉନ୍ନତ କରିବା ପାଇଁ ପୂରା ନିରାମିଷାଶୀ ପାଲଟି ଯାଇଛନ୍ତି। ଗତ ୪ ମାସ ହେଲା ସେ ମାଂସ ଖାଇବା ଛାଡ଼ି ଦେଇଛନ୍ତି। ଟେନିସ ସୁପର ଷ୍ଟାର ସେରେନା ଓ ତାଙ୍କ ଭଉଣୀ ଭେନସ ଓ୍ବିଲିୟମ୍ସ, ୪ ଥର ଫର୍ମୁଲା ଓ୍ବାନ ଚାମ୍ପିୟନ ଲୁଇସ ହାମିଲଟନ, କିମ୍ବଦନ୍ତୀ ଧାବକ କାର୍ଲ ଲୁଇସ ନିରାମିଷାଶୀ ହୋଇ ମଧ୍ୟ ନିଜ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ନଜିର ରହିଛି। କୋହଲି ବିଶ୍ୱର ଅନ୍ୟତମ ଫିଟ୍‌ ଆଥ୍‌ଲେଟ। ଦୁଇବର୍ଷ ତଳେ ସାଧାରଣ ଡାଏଟ୍‌ ପ୍ଲାନରେ ଥିବାବେଳେ କୋହଲି କହିଥିଲେ, ବିକଳ୍ପ ମିଳିଲେ ନିଶ୍ଚିତ ନିରାମିଷାଶୀ ହେବି। ଏବେ ସେ ପୂର୍ବଠାରୁ ଅଧିକ ଫିଟ୍‌ ଅନୁଭବ କରୁଛନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି। ଭାରତୀୟ ଅଧିନାୟକ ମାଂସ ଓ ଅଣ୍ଡା ସହ ଦୁଗ୍ଧ ଜାତୀୟ ଦ୍ରବ୍ୟ ମଧ୍ୟ ଖାଇବା ବନ୍ଦ କରି ଦେଇଛନ୍ତି। ନୂଆ ଡାଏଟ୍‌ ପ୍ଲାନ ୪ ମାସ ପୂର୍ବେ ଆରମ୍ଭ କରିଛନ୍ତି। ଏବେ ତାଙ୍କ ହଜମ ପ୍ରକ୍ରିୟା ଶକ୍ତିଶାଳୀ ହୋଇଯାଇଛି। ସେ ଆଉ ଅଣ୍ଡା, ମାଂସ ଖାଇବାକୁ ଇଚ୍ଛୁକ ନୁହନ୍ତି।

Share